କନକ ବ୍ୟୁରୋ: କଟକ ବିଦ୍ୟାଧରପୁର ବସ୍ତିବାସୀଙ୍କ ପାଇଁ ଆବାସ ଯୋଜନା ସାତ ସପନ । ଜରିପାଲ ଟାଙ୍ଗି ୧୩୦ ପରିବାର ରହୁଛନ୍ତି । ଆବାସ ଯୋଜନାରେ ବାରମ୍ବାର ଆବେଦନ କରି ଲୋକ ଥକି ଗଲେଣି । ସମସ୍ତେ କହୁଛନ୍ତି, ଶୀଘ୍ର ସମସ୍ୟାର ସମାଧାନ ହେବ କିନ୍ତୁ ପର ମୁହୂର୍ତ୍ତରେ ଭୁଲିଯାଉଛନ୍ତି ।
ଭଙ୍ଗା ଦଦରା ଘର, ଅଧା କାନ୍ଥ ମାଟିରେ ମିଶି ଗଲାଣି । ଚାଳ ନଇଁ ତଳେ ଲାଗିଲାଣି । ଉପରେ ଜରିପାଲ ଟଣା ହୋଇଛି । ଦୁଲକାଏ ପବନ ଓ ଅସରାଏ ବର୍ଷାରେ କେତେବେଳେ ମାଟିରେ ମିଶିଯିବ । ଏ ସ୍ଥିତି କଟକ ୫୫ ନମ୍ବର ୱାର୍ଡ ଅନ୍ତର୍ଗତ ବଣ ବିଦ୍ୟାଧରପୁର ବସ୍ତିର । ଏଠାରେ ୧୩୦ରୁ ଅଧିକ ପରିବାର ରହୁଛନ୍ତି । ଏମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କିମ୍ବା ଅନ୍ୟ କେଉଁ ଯୋଜନାରେ ଘର ଖଣ୍ଡିଏ ମିଳିଲେ ଦୁଃଖ ଦୂର ହେବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।
ଘର କଥା ଛାଡ଼ନ୍ତୁ, ବସ୍ତିରେ ଗୋଟିଏ ଶୌଚାଳୟ ବି ନାହିଁ । ଅଧିକାଂଶ ବସ୍ତିରେ ସିଏମ୍ସି ପକ୍ଷରୁ ଶୌଚାଳୟ କରାଯାଇଛି । କିନ୍ତୁ ଏ ବସ୍ତିରେ କରାଯାଇନି । ସମସ୍ତଙ୍କ ଘରକୁ ପାଣି ପାଇପ୍ ସଂଯୋଗ ହୋଇଥିଲେ ବି ନିୟମିତ ପାଣି ଆସୁନାହିଁ । ଏପରିକି ବସ୍ତିକୁ ଅଳିଆ ନେବାକୁ ସିଏମ୍ସିର ଅଳିଆ ଉଠା ଗାଡ଼ି ବି ଆସୁନାହିଁ । ଏନେଇ ମେୟର ସୁବାସ ସିଂହ କହିଛନ୍ତି, ପୂର୍ବ ସରକାରଙ୍କ ସମୟରେ ବସ୍ତିଗୁଡ଼ିକର ବିକାଶ କାମ ଠିକ୍ ଚାଲୁଥିଲା । ସରକାର ପରିବର୍ତ୍ତନ ପରେ କାମ ବନ୍ଦ ଅଛି । ନିର୍ଦ୍ଦେଶ ଆସିବା ପରେ ସିଏମସି କାମ କରିବ ।