କନକ ବ୍ୟୁରୋ : ବ୍ୟାଙ୍କ ଦେଇ ପାରିଲାନି ଭରସା । ତେଣୁ ନିଜର ଜମା ଟଙ୍କା ପାଇବା ପାଇଁ ଖରାରେ ଚାଲିଚାଲି ଥାନାକୁ ଗଲେ ଶତାଧିକ ଜମାକାରୀ । ନିଜ ଦୁଃଖ ଜଣାଇ ଓ ଖାତାରୁ ଚାଲି ଯାଇଥିବା ଫେରସ୍ତ ପାଇଁ ଗୁହାରି କରିଛନ୍ତି ଖାତାଧାରୀ । ବିଶ୍ୱାସରେ ବିଷ ଦେଇଥିବା ଠକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । 

Advertisment

ଗ୍ରାହକ ସେବା କେନ୍ଦ୍ର ଖୋଲି ଗରିବ ଖଟିଖିଆଙ୍କ ସଞ୍ଚିତ ଧନକୁ ନେଇଗଲା ଗ୍ରାହକ ସେବା କେନ୍ଦ୍ରର ମାଲିକ । ବିଶ୍ୱାସରେ ବିଷ ଦେଇ ଶତାଧିକ ଜମାକାରୀଙ୍କ ଖାତାରୁ ପ୍ରାୟ ୧କୋଟିରୁ ଅଧିକ ଟଙ୍କା ଠକି ନେଇଛି ଅଭିଯୁକ୍ତ । ଯେଉଁ ବ୍ୟାଙ୍କରେ ଟଙ୍କା ଜମା କରୁଥିଲେ ସେ ବ୍ୟାଙ୍କ କର୍ତ୍ତୃପକ୍ଷ ଜମାକାରୀଙ୍କୁ ଭରସା ଯୋଗ୍ୟ ପ୍ରତିଶ୍ରୁତି ଦେଇପାରିଲେ ନାହିଁ । ତେଣୁ ଧୁ ଧୁ ଖରାରେ ଥାନାରେ ପହଞ୍ଚିଛନ୍ତି ଠକେଇର ଶିକାର ହୋଇଛି ଜମାକାରୀ । ଅଭିଯୁକ୍ତ ବିରୋଧରେ ଲିଖିତ ଅଭିଯୋଗ କରିବା ସହ ଟଙ୍କା ଫେରସ୍ତ ପାଇଁ ଦାବି କରିଛନ୍ତି ।   

ସମ୍ବଲପୁର ଜିଲ୍ଲା ବାମରା ବ୍ଲକ କବରୀବାହାଲ ପଞ୍ଚାୟତ ପାନପୋଷ ଗାଁର ସତ୍ୟ ନାରାୟଣ ପୃସେଠ୍ କେଶାଇବାହାଲ ଷ୍ଟେଟ ବ୍ୟାଙ୍କ ମାଧ୍ୟମରେ କବରୀବାହାଲ ଠାରେ ଏକ ଗ୍ରାହକ ସେବା କେନ୍ଦ୍ର ଖୋଲିଥିଲେ । ଆଖପାଖ ଅଞ୍ଚଳର ଗରିବ ଆଦିବାସୀମାନେ ସେଠାରେ ନିଜ ସଂଚୟ ଟଙ୍କା ଡିପୋଜିଟ୍ କରୁଥିଲେ,ଆବଶ୍ୟକ ବେଳେ ଉଠାଉଥିଲେ ମଧ୍ୟ । ଲୋକଙ୍କୁ ସେବା ଯୋଗାଇ ପ୍ରଥମେ ବିଶ୍ବାସ ଜନ୍ମାଇଲା । ତା'ପରେ ନିରୀହ ସରଳ ଲୋକଙ୍କ ଖାତାକୁ ଖାଲି କରିଦେଇଛି ଗ୍ରାହକ ସେବା କେନ୍ଦ୍ର ମାଲିକ । ଏକଥା ଜାଣିବା ପରେ ଜମାକାରୀମାନେ କେଶାଇବାହାଲ ଷ୍ଟେଟ୍‌ ବ୍ୟାଙ୍କ ଶାଖାରେ ଜଣାଇଥିଲେ । ସେଠାରୁ ନିରାଶ ହୋଇ ବିକ୍ଷୋଭ କରିଥିଲେ । ବ୍ୟାଙ୍କ ଶାଖା ପରିଚାଳକ ଅକ୍ଷମତା ପ୍ରକାଶ କରି ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଏହାପରେ ଶତାଧିକ ଜମାକାରୀ ମହୁଲପାଲି ଥାନାରେ ପୃଥକ୍ ପୃଥକ୍ ଅଭିଯୋଗ କରିଛନ୍ତି । 

କିଏ ମୁଲ ଲାଗି ତ ଆଉ କିଏ ଦାଦନ ଖଟି, ଆଉ କିଏ ଭତ୍ତା ଟଙ୍କା ସଂଚୟ କରୁଥିଲେ । ଏପରିକି ଫିକ୍ସ କରିଦେବା କହି ଅଭିଯୁକ୍ତ ସତ୍ୟ ନାରାୟଣ ଚଞ୍ଚକତା କରିଥିବା ଜଣାପଡ଼ିଛି । ଏବେ ଜମାକାରୀଙ୍କ ପାଇଁ ଥାନା ହିଁ ଏକମାତ୍ର ଭରସା । ସେପଟେ ଅଭିଯୁକ୍ତ ଖୁଲମଖୁଲ୍କା ବୁଲୁଥିବା ବେଳେ ଆଗରୁ ମଧ୍ୟ ତା ନାଁରେ ଅନେକ ଅଭିଯୋଗ ରହିଥିବା ଜଣାପଡ଼ିଛି ।