କନକ ବ୍ୟୁରୋ : ମାତ୍ର ମାସେ ହେବ ରାସ୍ତା କାମ ସରିଛି । ଏବେ ଯେଉଁଠି ହାତ ମାରିବେ ସେଇଠି ଉଠି ଯାଉଛି ପିଚୁ । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ବଡ ଖଇରିଖମା ପଂଚାୟତରେ ଅଛି ଏମିତି ରାସ୍ତା । ମାଟି ରାସ୍ତାକୁ ପକ୍କା କରିବା ପାଇଁ କ୍ଷୁଦ୍ର ଜଳସେଜନ ବିଭାଗ ଦ୍ୱାରା ଟେଣ୍ଡର ହୋଇଥିଲା । ଶରଧାପୁର ଠାରୁ ବଡ଼ ରାଉଳ ମନ୍ଦିର ଯାଏଁ ୨ କିଲୋମିଟର ରାସ୍ତା ପାଇଁ ୭୦ ଲକ୍ଷର ବ୍ୟୟ ବରାଦ ହୋଇଥିଲା ।

Advertisment

ଠିକାଦାର ରାସ୍ତାରେ ମେଣ୍ଟାଲ୍‌ କି ମୋରମ୍‌ ନପକାଇ ପୂର୍ବରୁ ଥିବା ରାସ୍ତା ଉପରେ ଡଷ୍ଟ ପକାଇ ପିଚୁ କରିଛି । ଯାହା ଅତି ନିମ୍ନମାନର କାମ କରି ବିଲ୍‌ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ସେପଟେ ରାସ୍ତାର ବିଭିନ୍ନ ସ୍ଥାନ ଖାଲଢ଼ିପ ହୋଇ ରହିଛି । ଅସରାଏ ବର୍ଷା ହେଲେ ସେଠାରେ ପାଣି ଜମୁଛି। ତୁରନ୍ତ ତଦନ୍ତ କରି ପୁନଃ ରାସ୍ତା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ସେପଟେ ବିଭାଗୀୟ ଯନ୍ତ୍ରୀଙ୍କ କହିଛନ୍ତି ରାସ୍ତା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାବୁଙ୍କ ପ୍ରତିକ୍ରିୟା ଜାଣି ସ୍ଥାନୀୟ ଲୋକ ପ୍ରଶ୍ନ କରିଛନ୍ତି, କାମ ଚାଲିଥିବା ସମୟରେ କାହିଁକି ଉପସ୍ଥିତ ରହୁନାହାନ୍ତି ବିଭାଗୀୟ ଅଧିକାରୀ ? କାହିଁକି ଯାଞ୍ଚ ହେଉନାହିଁ କାମ  ?  କାହା ସ୍ୱାର୍ଥରେ ଚୁପ ରହୁଛନ୍ତି ବିଭାଗୀୟ ଅଧିକାରୀ ?