କନକ ବ୍ୟୁରୋ: ରାଜ୍ୟରେ କମୁଛି ଆଇଟିଆଇ, ଡିପ୍ଲୋମା ଓ ଇଞ୍ଜିନିୟରିଂ ଚାହିଦା । ଡିଗ୍ରୀ ହାସଲ କରିବା ପରେ ବି, ମିଳୁନି ଚାକିରି । ରାଜ୍ୟରେ ଏବେ ବି ଅନେକ ଛାତ୍ର ଚାକିରି ଅପେକ୍ଷାରେ ଥିବା ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ । ଶୁକ୍ରବାର ବିଧାନସଭାରେ ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ନେଇ ପ୍ରଶ୍ନ କରିଥିଲେ । ରାଜ୍ୟରେ କେତେ ଇଞ୍ଜିନିୟରିଂ ଡିଗ୍ରୀ, ଡିପ୍ଲୋମା ଓ ପଲିଟେକନିକ୍ ଯୋଗ୍ୟତାଧାରୀ, ଆଇଟିଆଇ ଶିକ୍ଷାପ୍ରାପ୍ତ ଯୁବକ ଯୁବତୀ ବେକାର ଅଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି...

  • ଆଇଟିଆଇରେ ୩୪ ହଜାର ୦୧୮ ଜଣ
  • ଡିପ୍ଲୋମାରେ ୪୩ ହଜାର ୪୬୩ ଜଣ
  • ଇଞ୍ଜନିୟରିଂରେ ୧୨୧୪ ଜଣ
  • ପିଜି ଇଞ୍ଜିନିୟରିଂରେ ୮୬୩ ଜଣ

ଯୁବକ, ଯୁବତୀ କର୍ମ ନିୟୋଜନ କାର୍ୟ୍ୟାଳୟରେ ସେମାନଙ୍କ ନାମ ପଞ୍ଜୀକରଣ କରି ଚାକିରି କରିବା ପାଇଁ ଅପେକ୍ଷାରେ ଅଛନ୍ତି । ତେବେ ବୈଷୟିକ ଶିକ୍ଷାଧାରୀ ବିଦ୍ୟାର୍ଥୀଙ୍କର ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ରାଜ୍ୟ ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ତରଫରୁ ନାନୋ ୟୁନିକର୍ଣ୍ଣ ସ୍କିମ୍ ପ୍ରଚଳନ କରାଯାଇଅଛି । ତା ସହ ଛାତ୍ରଛାତ୍ରୀଙ୍କ ପାଇଁ ଅନୁଷ୍ଠାନ ସ୍ତରରେ ପ୍ଲେସମେଣ୍ଟ ସେଲି ଗଠନ କରାଯାଇ ସେଗୁଡିକ ମାଧ୍ୟମରେ ନିଯୁକ୍ତି ବ୍ୟବସ୍ଥା କରାଯାଇଥାଏ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।