କନକ ବ୍ୟୁରୋ :  ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ସମୟ ବଦଳିବା ସାଙ୍ଗକୁ ଚିକ୍ ମିକ୍ ଆଲୁଅରେ ଦୀପାବଳି ମନାଉଛନ୍ତି ଲୋକେ । ହେଲେ ଆଜି ବି ଦୀପାବଳିରେ ମାଟି ଦୀପର ବେଶ ଚାହିଦା ରହିଛି । ଆଗକୁ ଦୀପାବଳି ଆସୁଥିବାରୁ ଏବେ ଚଳଚଞ୍ଚଳ କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳର କୁମ୍ଭକାର ପରିବାର । ତିଆରି ଚାଲିଛି ଭଳିକି ଭଳି ମାଟି ଦୀପ , ଦୀପ ତିଆରିରେ ବ୍ୟସ୍ତ କାରିଗର । ଦୀପାବଳି ପାଇଁ ସଜବାଜ ହେଉଛନ୍ତି କୁମ୍ଭକାର ପରିବାର । ସମସ୍ତେ ଲାଗିପଡିଛନ୍ତି ଭଳିକିଭଳି ଦୀପ ତିଆରିରେ । ନିଜ ପାରମ୍ପରିକ ବେଉସାକୁ ବଂଚାଇ ଗଢି ଚାଲିଛନ୍ତି ସୁନ୍ଦର ସୁନ୍ଦର ମାଟିଦୀପ ସବୁ । କିଏ ମାଟି ଚକଟି ସୁନ୍ଦର ଦୀପ ତିଆରି କରିବାରେ ଲାଗିପଡିଛି ତ କିଏ ଦୀପକୁ ଶୁଖେଇବାରେ ବ୍ୟସ୍ତ । ପୁଣି କିଏ ଭାଟିରେ ଦୀପକୁ ପୋଡୁଛି । 

Advertisment

ଗାଁର କିଛି କୁମ୍ଭାର ମାନେ ସେମାନଙ୍କ ବୃତ୍ତି ଛାଡ଼ିବାକୁ ବସିଥିବାବେଳେ ଆଉ କିଛି ନିଜ ପାରମ୍ପରିକ ବେଉସାକୁ ଜାବୁଡି ଧରିଛନ୍ତି । ବର୍ଷ ତମାମ ରହିଥାଏ ଏହି ମାଟି ଦୀପର ଚାହିଦା । ଏ ବର୍ଷବି ବ୍ୟବସାୟ ଭଲ ହେବା ନେଇ କୁମ୍ଭକାର ପରିବାର ଆଶାବାଦୀ ରହିଛନ୍ତି । ପ୍ରତିବର୍ଷ ଦୀପାବଳିରେ ପ୍ରତ୍ୟେକଟି କୁମ୍ଭାର ପରିବାର ଲୋକେ ଦୀପ ବିକ୍ରି କରି ଦି ପଇସା ରୋଜଗାର କରିଥାନ୍ତି । ଦୀପ ବିକ୍ରି ପାଇଁ ସେମାନେ ସହରକୁ ଯାଉଥିବା ବେଳେ ବେପାରୀ ମଧ୍ୟ ଆସି ଦୀପ ନେଉଛନ୍ତି ।