କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ସମୁଦ୍ର ଉପକୁଳବର୍ତ୍ତି ଅଞ୍ଚଳ ପାନଚାଷ ପାଇଁ ବେଶ ଉପେଯାଗୀ । ଏହି ଅଞ୍ଚଳରେ ମାଟି ହାଲୁକା ହୋଇଥିବାରୁ ପାନଚାଷ ଭଲ ହୋଇଥାଏ । ବାଲିଆପାଳର ଚୌମୁଖ, ଡଗରା, ବେତଗଡ଼ିଆ, ଅଳାଡ଼ିଆ, ନୁଆଗାଁ, ଜମ୍ଭୀରାଇ ଭଳି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଚାଷୀ ମାନେ ପାନଚାଷ କରନ୍ତି ।  ଏହି ଅଞ୍ଚଳର ପାନ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ଦିଲ୍ଲୀ, ଗୁଜରାଟ, ମୁମ୍ବାଇ ରପ୍ତାନୀ ହୋଇଥାଏ । ଏହାଛଡା ବନାରସର ପ୍ରସିଦ୍ଧ ବନାରସୀ ପାନ ମଧ୍ୟ ବାଲିଆପାଳର ପାନ ।  ବିଦେଶରେ ଏହି ପାନର ମଧ୍ୟ ଭଲ ଚାହିଦା ରହିଛି । ଏହି ପାନ ଟିକିଏ ପାଚିଲା ଏବଂ ହଳଦିଆ ରଙ୍ଗର ହୋଇଥିବାରୁ ଅଧିକ ସୁଆଦିଆ। ଏହି ଅଞ୍ଚଳର ପାନ ବାହାର ରାଜ୍ୟରେ ଚାହିଦା ରହିଥିଲେ ମଧ୍ୟ ଚାଷି ମାନେ ଉପଯୁକ୍ତ ମୁଲ୍ୟ ପାଇ ପାରୁନାହାନ୍ତି । ବ୍ୟବସାୟୀ ମାନେ ଏଠାରୁ ପାନ ନେଇ ମାଲାମାଲ ହେଉଥିବା ବେଳେ ଚାଷୀ ମାନେ କ୍ଷତି ସହୁଛନ୍ତି ।

Advertisment

ବାଲିଆପାଳ ଅଞ୍ଚଳରେ ବିଶେଷକରି ଦୁଇ ପ୍ରକାରର ପାନଚାଷ ହୋଇଥାଏ । ଦେଶୀ ଓ ଚନ୍ଦ୍ରକଣା । ଦେଶୀ ପାନ ଅପେକ୍ଷା ଚନ୍ଦ୍ରକଣା ପାନର ଲାଭ ଅଧିକ ହୋଇଥାଏ । ନଭେମ୍ବର ଓ ମାର୍ଚ୍ଚ ମାସରେ ଚାରା ରୋପଣ କରାଯାଏ । ଚାରା ଲଗାଇବାର ୫ ମାସ ପରେ ଅମଳ ହୋଇଥାଏ । ୧ ହଜାର ଚାରା ଲଗାଇବା ପାଇଁ ୧୨ ରୁ ୧୫ ହଜାର ଖର୍ଚ୍ଚ ହେଉଥିବା ବେଳେ ପାଖାପାଖି ୨୫ ହଜାର ଟଙ୍କାରେ ବିକ୍ରି ହୋଇଥାଏ । ୪ ହଜାର ପାନକୁ ଚାଷୀ ୨ ରୁ ୩ ହଜାର ଟଙ୍କାରେ ବିକ୍ରି କରୁଥିବା ବେଳେ ବ୍ୟବସାୟୀ ମାନେ ଓଡିଶା ବଜାରରେ ୮ ରୁ ୧୦ ହଜାର ଟଙ୍କାରେ ବିକ୍ରି କରୁଛନ୍ତି ।  ଓଡିଶା ବାହାରେ ବ୍ୟବସାୟୀ ମାନେ ୧୨ ରୁ ୧୫ ହଜାର ଟଙ୍କାରେ ବିକ୍ରି କରନ୍ତି । ଏଠାକାର ପାନ ଚାଷ ସମ୍ପୁର୍ଣ୍ଣ ଜୈବିକ ସାରରେ ହେଉଥିବାରୁ ପାନ ମିଠା ଓ ସ୍ୱାଦିଷ୍ଟ ହୋଇଥାଏ । ଯାହା ଫଳରେ ଏହି ପାନର ଚାହିଦା ଅଧିକ ।

ପାନ ଗୋଟିଏ ଲାଭଦାୟକ ଫସଲ ହୋଇଥିବା ବେଳେ ଏହି ଚାଷ କରି ପରିବାର ପ୍ରତିପୋଷଣ କରନ୍ତି ଚାଷୀ । ସରକାର ପାନ ଚାଷକୁ କୃଷିର ମାନ୍ୟତା ଦେବା ସହିତ ପ୍ରୋତ୍ସାହନ ଯୋଗଇ ଦେଲେ ଚାଷୀ ଅଧିକ ଲାଭବାନ ହୋଇପାରନ୍ତେ ।