କନକବ୍ୟୁରୋ :  ଜଙ୍ଗଲରୁ ଉଦ୍ଧାର ହେଲା କଙ୍କାଳ ।  ଭଞ୍ଜନଗର ସୀମାନ୍ତ ଗସମାହା ଜଙ୍ଗଲରୁ ଗଳିତ ନରକଙ୍କାଳ ଉଦ୍ଧାର ହୋଇଛି । ପାରିପାର୍ଶ୍ବିକ ସ୍ଥିତିରୁ ଏହା ଜଣେ ଯୁବତୀର କଙ୍କାଳ ହୋଇଥିବା ଅନୁମାନ କରାଯାଉଛି ।  ଏପରିକି ଅପହରଣ ପରେ ହତ୍ୟା ସନ୍ଦେହ କରୁଛି ପୁଲିସ  । ତେବେ ଭଞ୍ଜନଗର ଥାନାରେ ରୁଜୁ ହୋଇଥିବା ଏକ ଅପହରଣ ମାମଲା ସହ ସମ୍ପୃକ୍ତ ଥିବାନେଇ ପୁଲିସ ସେ ଦିଗରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି  ।  ଖବର ପାଇ ଘଟଣାସ୍ଥଳରେ ଭଞ୍ଜନଗର ଏସଡିପିଓ , ଥାନାଧିକାରୀଙ୍କ ନେତୃତ୍ୱରେ ପୁଲିସ ଟିମ ଘଟଣାସ୍ଥଳରେ ପହଂଚି ଛାନଭିନ୍ କରୁଛି ।

Advertisment

ଏକ ଗଛରେ କପଡା ସହ ଚୁଟି ଲାଗି ଝୁଲୁଥିବା ବେଳେ ତଳେ ଶରୀରର ବିଭିନ୍ନ ହାଡ଼ ଓ କଙ୍କାଳ ପଡିରହିଛି ।  ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ କଙ୍କାଳକୁ ବ୍ରହ୍ମପୁର ଏଫଏମଟିକୁ ପଠାଯାଇଛି । ମାସକ ପୂର୍ବରୁ ଭଞ୍ଜନଗର ଥାନା ଭାଲୁଗୁଡାର ଜଣେ ନାବାଳିକାଙ୍କୁ କେହି ଅପହରଣ କରି ନେଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା  ।  ଏନେଇ ଏକ ଅପହରଣ ମାମଲା ରୁଜୁ କରାଯାଇଥିଲା ।   ଏବେ କଙ୍କାଳ ଉଦ୍ଧାର ପରେ ପୁଲିସ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି । ଘଟଣା ସନ୍ଦେହରେ କିଛି ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି ।