କନକ ବ୍ୟୁରୋ : ମୌସୁମୀ ଆସିବା ପରେ ଜାରି ରହିଛି ବର୍ଷା ।  କିନ୍ତୁ ପୁରୁଣା ଭୁବନେଶ୍ୱରରେ ବହୁ ଡ୍ରେନ ମୁକୁଳା ପଡ଼ିଛି । ଏହା ସାନିଟାରିୟମ ଛକରୁ ମାଉସୀ ମାଆ ଛକ ପର୍ଯ୍ୟନ୍ତ ରାସ୍ତାର ଦୃଶ୍ୟ । ପ୍ରାୟ ବର୍ଷେ ହେଲା କାମ ଚାଲିଥିଲେ ବି ମାତ୍ର ୬୦ ପ୍ରତିଶତ ସରିଛି । ଡ୍ରେନ୍ କାମ ପାଇଁ ରାସ୍ତା ନଷ୍ଟ ହେବା ସହ ସ୍ଥାନେସ୍ଥାନେ ରାସ୍ତା ଦବି ଗଲାଣି । ସାନିଟାରିୟମ ଛକ ଟର୍ଣ୍ଣିଂ ନିକଟରେ ଅସମ୍ପୂର୍ଣ୍ଣ ଡ୍ରେନ୍ ମୁକୁଳା ପଡ଼ିଛି । ମଝିରେ ମଝିରେ ଡ୍ରେନ୍ ସଂଯୋଗ ହୋଇନାହିଁ । 

Advertisment

ବିବେକାନନ୍ଦ ମାର୍ଗରେ ବି ସମାନ ଅବସ୍ଥା । ସାମାନ୍ୟ ବର୍ଷା ହେଲେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମୁଛି । ୯୦୦ ମିଟର ଡ୍ରେନ ପାଇଁ ୨ କୋଟି ୪୦ ଲକ୍ଷ ଟଙ୍କା ଅଟକଳରେ ବିଏମ୍‌ସି ଟେଣ୍ଡର ଦେଇଥିଲା । ହେଲେ ବର୍ଷେ ହେଲା କାମ ସରୁନି । ରାମକୃଷ୍ଣ ମଠରୁ ମାଉସୀ ମାଆ ଛକ ପର୍ଯ୍ୟନ୍ତ କାମ ବାକି ଅଛି । ବିଦ୍ୟୁତ୍ ଖୁଣ୍ଟ ସ୍ଥାନାନ୍ତର ଏବଂ ସ୍ବରେଜ୍ କାମ ବିଳମ୍ୱ ପାଇଁ ଏଥର ବର୍ଷାରେ ବଡ଼ ସମସ୍ୟା ଦେଖାଦେବାର ଆଶଙ୍କା ସୃଷ୍ଟି ହୋଇଛି । ପ୍ରଶ୍ନ ଉଠୁଛି, ମୁକୁଳା ଡ୍ରେନ ଯୋଗୁ କାହାର ଜୀବନ ଚାଲିଗଲେ କିଏ ଦାୟୀ ହେବେ? ଠିକାଦାର ନା ବିଏମସି ? ରାଜଧାନୀର ଜନଗହଳିପୂର୍ଣ୍ଣ ରାସ୍ତାର ଏମିତି ଅବସ୍ଥା, ତେବେ ଗଳିକନ୍ଦି କଥା ନକହିବା ଭଲ ।