କନକ ବ୍ୟୁରୋ : ପ୍ରତିଶୃତି ଓ ଅନୁମତିରେ ଅଟକିଛି ରାସ୍ତା ନିର୍ମାଣ । ବନ ବିଭାଗ ଓ ପୂର୍ତ୍ତ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ରାସ୍ତା କାମ ଅଧାରେ ଅଟକିଥିବା ଅଭିଯୋଗ ହୋଇଛି । ଯାହାର ସୁଯୋଗ ନେଇ ଠିକା ସଂସ୍ଥା ଅଧାରୁ କାମ ଛାଡ଼ି ପଳାଇଛି । ନୀଳଗିରି ବଉଳଗଡ଼ିଆ PWD ରାସ୍ତା । ଏହି ୧୭ କିମି ରାସ୍ତା ନୀଳଗିରିକୁ ସୋର, ଔପଦା ଓ ବାହାନଗା ବ୍ଲକ ଏବଂ ପ୍ରସିଦ୍ଧ ବାବା ପଞ୍ଚଲିଙ୍ଗେଶ୍ବର ଶୈବପୀଠକୁ ଲମ୍ବିଛି । ୨୦୦୭ରେ ଦ୍ବାଦଶ କମିସନ୍‌ ଅର୍ଥରେ ରାସ୍ତାର ପୁନଃନିର୍ମାଣ କରାଯାଇଥିଲା । ପରବର୍ତ୍ତି ସମୟରେ ଲୋକଙ୍କ ବହୁବାର ଦାବି ପରେ ୨୦୨୩ରେ ରାସ୍ତା ମରାମତି ପାଇଁ ପ୍ରାୟ ୨୯ କୋଟି ଟଙ୍କା ମଞ୍ଜୁର ହୋଇଥିଲା ।

Advertisment

ପଶ୍ଚିମବଙ୍ଗର ମେକ୍‌ ଇନ୍‌ ଟସ୍‌ କନ୍‌ଷ୍ଟ୍ରକସନ୍‌ ନାମକ ଠିକା ସଂସ୍ଥା ଦାୟିତ୍ବ ନେଇଥିଲା । ୨୦୨୪ ଏପ୍ରିଲ୍‌ ସୁଦ୍ଧା କାମ ସାରିବାକୁ ସମୟ ଧାର୍ଯ୍ୟ ହୋଇଥିଲା । ଅବଧି ସରିବାର ବର୍ଷେ ପରେ ବି ୨୦ ପ୍ରତିଶତ କାମ ସରିନି । ଆଉ ଏପଟେ ଅଧା କାମ ଛାଡ଼ି ମେସିନ୍‌ ନେଇ ଛୁ ମାରିଛି ଠିକାସଂସ୍ଥା ।

ବନବିଭାଗ ପକ୍ଷରୁ ଗଛ କଟା ଯିବା ପାଇଁ ଅନୁମତି ପ୍ରଦାନ କରାଯାଉନାହିଁ । ପୂର୍ତ୍ତ ବିଭାଗ ପକ୍ଷରୁ ମଧ୍ୟ ରାସ୍ତା ମରାମତି ଦିଗରେ କୌଣସି ତତ୍ପରତା ଦେଖିବାକୁ ମିଳୁନାହିଁ । ଯାହା ରାସ୍ତା ନିର୍ମାଣରେ ବାଧକ ସାଜିଥିବା ଅଭିଯୋଗ ହୋଇଛି । ବିଧାୟକ, ସାଂସଦ, ଜିଲ୍ଲାପାଳ, ଡିଏଫ୍‌ଓଙ୍କ ଉପସ୍ଥିତିରେ ୨୦୨୫ ମାର୍ଚ୍ଚରେ ବୈଠକ ଅନୁଷ୍ଠିତ ହୋଇ ରାସ୍ତା ମରାମତି ନେଇ ପ୍ରତିଶ୍ରୁତି ମିଳିଥିଲା । ହେଲେ ଏଯାଏଁ କାମ ଆରମ୍ଭ ହୋଇପାରିନି ।