କନକ ବ୍ୟୁରୋ : ପୈତୃକ ଗାଁରେ ପହଞ୍ଚିଲା ସୌମ୍ୟାଶ୍ରୀଙ୍କ ମୃତ ଶରୀର । ସୌମ୍ୟାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପୂରା ଗାଁ ଏକାଠି ହୋଇଥିବା ବେଳେ, ଭାଙ୍ଗିପଡ଼ିଛି ପୂରା ପରିବାର । ଛାତିପିଟି କାନ୍ଦୁଛି ଜେଜେ ମା', ପାଗଳି ପ୍ରାୟ ହୋଇଯାଇଛି ଜନ୍ମକଲା ମା', ବାପାଙ୍କ କଥାତ ନକହିଲେ ଭଲ । ବଢ଼ିଲା ଝିଅକୁ ହରାଇ ବାପା ମୁକ ପାଲଟିଯାଇଛି । ଭଉଣୀକୁ ଝୁରି ଝୁରି କାନ୍ଦୁଛି ଭାଇ... ଏହି ଛାତିଫଟା ଦୃଶ୍ୟ ଯିଏ ବି ଦେଖୁଛି ତା' ଆଖିରେ ଲୁହ ବହିଆସୁଛି । ମା'କୁ ବୁଝାଇବା ପାଇଁ ପାଖରେ ଅନ୍ୟ ପରିବାର ସଦସ୍ୟ ଅଛନ୍ତି ସତ କିନ୍ତୁ ମା' ମନକୁ କିଏ ବା ବୁଝାଇବ... ସେ ଏବେ ବି ବିଶ୍ବାସ କରିପାରୁନି ତା ଝିଅ ଆଉଁ ଏ ଦୁନିଆରେ ନାହିଁ ।
ଝିଅ ଜନ୍ମଠୁ ନେଇ ଆଜି ଯାଏଁ, ମା ତାର ଯତ୍ନ ନେଇ ଆସିଛି । ସବୁ ଅଳି ଅଝଟକୁ ସହିଛି, ସବୁ ଇଚ୍ଛାକୁ ପୂରା କରିଛି । ଆଜି ଯେତେବେଳେ ତା' ଝିଅ ତା'କୁ ପର କରି ଆରପାରିକୁ ଚାଲିଯାଇଛି, ସେତେବେଳେ ମା' କେମିତି ବା ବିଶ୍ବାସ କରିବ କି ତା ଝିଅ ଆଉ ଫେରିବନି । ଝିଅ ମରିଯାଇଛି ବୋଲି ମା' ବିଶ୍ବାସ କରିପାରୁନି । ମୋ ଝିଅ ବଞ୍ଚିଛି, ମୋ ଝିଅ ନିଶ୍ଚୟ ଫେରିବ ବୋଲି କହି ଛାତି ପିଟି କାନ୍ଦୁଛି । ମା' ଜାଣିସାରିଛି କି ଝିଅ ମରିଯାଇଛି ସେ ଆଉ ଫେରିବନି, କିନ୍ତୁ ମନ ମାନୁନି... ମା' ମନ କହୁଛି ମୋ ଝିଅ ନିଶ୍ଚୟ ଫେରିବ । ଲୁହ ଭିଜା ଆଖି ଜାଣିସାରିଛି ଝିଅ ଆଉ ଫେରିବନି, କିନ୍ତୁ ଓଠ କହୁଛି ମୋ ଧନକୁ ଫେରାଇ ଆଣ... ମା'ର ଏ ଅବସ୍ଥା କଥା କେହି ବୁଝିପାରିବେ ନାହିଁ । ୧୦ମାସ ୧୦ଦିନ ଗର୍ଭରେ ରଖି ଜନ୍ମ କରିଥିବା ପିଲାକୁ ହରାଇବା କେତେଯେ କଷ୍ଟ ତାହା କେବଳ ଜଣେ ମା' ହିଁ ଜାଣିଛି...