କନକ ବ୍ୟୁରୋ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଭିତରେ ଏସିଆ କପ୍ ୨୦୨୫ ଅନୁଷ୍ଠିତ ହେବ କି ନାହିଁ ତାହା ସନ୍ଦେହ ଥିଲା । ପୂର୍ବରୁ ରିପୋର୍ଟ ଆସିଥିଲା ଯେ ଭାରତ ଏସିଆ କପରେ ଅଂଶଗ୍ରହଣ କରିବାକୁ ମନା କରିଛି, ଯଦିଓ ବିସିସିଆଇ ସଚିବ ଏହି ସମସ୍ତ ରିପୋର୍ଟକୁ ଖଣ୍ଡନ କରିଥିଲେ । ଏବେ ଏସିଆ କପ୍ ୨୦୨୫ର ସମ୍ଭାବ୍ୟ ତାରିଖ ସାମ୍ନାକୁ ଆସିଛି । କ୍ରିକବଜର ରିପୋର୍ଟ ଅନୁଯାୟୀ, ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବରରେ ଆୟୋଜିତ ହୋଇପାରେ । ଭାରତ ଏବଂ ପାକିସ୍ତାନ ସମେତ ମୋଟ ୬ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଏବେ ଦେଖିବାକୁ ବାକି ରହିଲା ଯେ ଭାରତ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳୁଛି କି ନାହିଁ ।

Advertisment

କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ଏସିଆ କପ୍ ୨୦୨୫ ସେପ୍ଟେମ୍ବର ୧୦ରୁ ଆରମ୍ଭ ହୋଇପାରେ ଏବଂ ଜୁଲାଇ ପ୍ରଥମ ସପ୍ତାହରେ କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇବାର ସମ୍ଭାବନା ଅଛି । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଭାରତ ଏସିଆ କପ୍ ୨୦୨୫ ଆୟୋଜନ କରୁଛି । ଯଦି ଭାରତ ଏବଂ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହୁଅନ୍ତି, ତେବେ ମ୍ୟାଚ୍ ଏକ ନିରପେକ୍ଷ ସ୍ଥାନରେ ଅନୁଷ୍ଠିତ ହେବ । 

ଏସୀୟ କ୍ରିକେଟ ପରିଷଦ (ଏସିସି) ଜୁଲାଇ ପ୍ରଥମ ସପ୍ତାହରେ ଏହି ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ପ୍ରକାଶ କରିବାକୁ ଯୋଜନା କରୁଛି । ଚଳିତ ବର୍ଷ, ଏହି ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯିବ । ଯଦି ସବୁକିଛି ଯୋଜନା ଅନୁଯାୟୀ ହୁଏ, ତେବେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଏବଂ ୟୁଏଇ ଦଳ ୨୦୨୫ ଏସିଆ କପରେ ଅଂଶଗ୍ରହଣ କରିବେ । ୟୁଏଇ ନିରପେକ୍ଷ ସ୍ଥାନରେ ଖେଳାଯିବାକୁ ଥିବା ମ୍ୟାଚ୍ ଆୟୋଜନ ଦୌଡ଼ରେ ଆଗୁଆ ରହିଛି ।

 ଯଦି ଭାରତ ପାକିସ୍ତାନ ମ୍ୟାଚ ବାହାରେ ଅନୁଷ୍ଠିତ ହୁଏ ତେବେ ଯୁଏଇକୁ ପ୍ରଥମ ବିକଳ୍ପ ଭାବେ ଦେଖାଯାଇପାରେ । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ହାଇବ୍ରିଡ୍ ମଡେଲରେ ଏସିଆ କପ୍ ଆୟୋଜନ କରିବା ଚର୍ଚ୍ଚା ହେଉଛି । ଯଦିଓ ଭାରତ ଆୟୋଜକ, ଏସିସି ପୂର୍ବରୁ ନିଷ୍ପତ୍ତି ନେଇଥିଲା ଯେ ଯେତେବେଳେ ଭାରତ ଏବଂ ପାକିସ୍ତାନର ପାଳି ଆସିବ, ସେମାନଙ୍କର ମ୍ୟାଚ୍ ନିରପେକ୍ଷ ସ୍ଥାନରେ ଅନୁଷ୍ଠିତ ହେବ ।

ଏସିଆ କପର ଶେଷ ସଂସ୍କରଣ ୨୦୨୩ ମସିହାରେ ଶ୍ରୀଲଙ୍କା ଏବଂ ପାକିସ୍ତାନରେ ଅନୁଷ୍ଠିତ ହୋଇଥିଲା । ଆଉ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ତାର ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ ଖେଳିଥିଲା । ଏଥିରେ ଭାରତ ଏବଂ ଶ୍ରୀଲଙ୍କା ଫାଇନାଲରେ ପହଞ୍ଚିଥିଲେ, ଯେଉଁଠାରେ ଟିମ୍ ଇଣ୍ଡିଆ ୧୦ ୱିକେଟରେ ବିଜୟୀ ହୋଇ ୮ମ ଥର ପାଇଁ ଟାଇଟଲ ଜିତିଥିଲା ।

ଏସିଆ କପରେ ଭାରତ ସର୍ବାଧିକ ୮ଥର ଚାମ୍ପିୟନ ହୋଇଥିବା ବେଳେ ଶ୍ରୀଲଙ୍କା ୬ ଓ ପାକିସ୍ତାନ ୨ ଥର ବିଜେତା ବନିଛି । ଏସିଆ କପ ପାଇଁ ଏବେ ଯାଏଁ ହାଇବ୍ରିଡ୍ ମଡେଲରେ ଖେଳ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଭାରତ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ଥିବାରୁ ଦେଖିବା ବାକି ରହିଲା ପାକିସ୍ତାନ ଭାରତ ଆସୁଛି ନା ନାହିଁ ।