କନକ ବ୍ୟୁରୋ : ସେଦିନ ଥିଲା ୭ ଡିସେମ୍ୱର ୨୦୨୪ , ସମୟ ପାଖାପାଖି ରାତି ୯ଟା । ତାରକା ହୋଟେଲ ଆଗରୁ ମର୍ସିଡିଜ କାର୍ ସହ କଣ୍ଟ୍ରାକ୍ଟରଙ୍କୁ ମାଡ଼ି ବସିଲା ସିବିଆଇ । ୧୦ ଲକ୍ଷ ଟଙ୍କାର ଲାଞ୍ଚ କାରବାରରେ ବନ୍ଧା ହେଲେ ୩ ଅଭିଯୁକ୍ତ । ମର୍ସିଡିଜ କାରର ମାଲିକ ତଥା କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ର, ପେନ୍ଟା-ଏ ଷ୍ଟୁଡିଓର ଡାଇରେକ୍ଟର ସନ୍ତୋଷ ମହାରଣା ଏବଂ ବ୍ରିଜ ଆଣ୍ଡ ରୁଫ କମ୍ପାନିର ଗ୍ରୁପ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀଙ୍କୁ ଗିରଫ କରାଯାଇଥିଲା । ଆଉ ଏମାନଙ୍କୁ ଘାଣ୍ଟୁ ଘାଣ୍ଟୁ ସାମନାକୁ ଆସିଥିଲା ପାୱାର କରିଡରର ହେଭିୱେଟ୍ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ସଂପୃକ୍ତି । ଦଲାଲଙ୍କ ମାଧ୍ୟମରେ ଏହି ଟଙ୍କା ସିଧା ବିଷ୍ଣୁପଦଙ୍କ ପାଖକୁ ପହଞ୍ଚୁଥିବା ଅଭିଯୋଗ ହେଲା । ଏପରିକି ଟେଣ୍ଡର ଜରିଆରେ କୋଟି କୋଟି ଟଙ୍କା ଖାଇ ଖୋଳ କରି ଦେଇଥିବା ଅଭିଯୋଗରେ ବିଷ୍ଣୁପଦଙ୍କୁ ସିବିଆଇ କାର୍ଯ୍ୟାଳୟକୁ ଡାକି ଜେରା କରିଥିଲା । ସନ୍ଦେହ ଘେରକୁ ଆସିଗଲା ବିଷ୍ଣୁପଦଙ୍କ ଭୂମିକା । ବିଷ୍ଣୁପଦଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି କୋର୍ଟ ଦେଇଥିବା ରାୟ, ପୂରା ଘଟଣାରେ ବିଷ୍ଣୁଙ୍କ ଭୂମିକାକୁ ସ୍ପଷ୍ଟ କରିଛି । କୋର୍ଟ କହିଛନ୍ତି, କ୍ଷମତାରେ ଥିବା ବ୍ୟକ୍ତିଙ୍କୁ ଛାଇ ପରି ଗୋଡ଼ାଇଥାଏ ଦୁର୍ନୀତି । ଆବେଦନକାରୀ ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀ ହୋଇଥିବାରୁ ସେ ଖୁବ୍ କ୍ଷମତାଶାଳୀ ।
କ’ଣ କହିଥିଲେ ହାଇକୋର୍ଟ ?
୧୦ ଲକ୍ଷ ଲାଞ୍ଚ କାରବାରରେ ବିଷ୍ଣୁପଦ ସେଠୀଙ୍କ ସଂପୃକ୍ତି ଥିବା ସିବିଆଇ କହିଛି
ଦେବଦତ୍ତଙ୍କ ନାଁରେ ରେଜିଷ୍ଟ୍ରେସନ୍ ହୋଇଥିବା ମୋବାଇଲରୁ ବିଷ୍ଣୁପଦ ହ୍ୱାଟ୍ସଆପ୍ ବ୍ୟବହାର କରିଛନ୍ତି
ଅଭିଯୁକ୍ତ ଚଞ୍ଚଳ ମୁଖାର୍ଜୀଙ୍କ ଫୋନ୍ରୁ ଦେବଦତ୍ତଙ୍କୁ କଲ୍ କରିଥିଲେ ବିଷ୍ଣୁପଦ ସେଠୀ
ଏହାର ରେକର୍ଡିଂ ଉପଲବ୍ଧ ଥିବା ସିବିଆଇ ଦାବି କରିଛି
ସିଏଫ୍ଏସ୍ଏଲ୍ ରିପୋର୍ଟରୁ କଣ୍ଠସ୍ୱର ବିଷ୍ଣୁପଦଙ୍କ ସହ ମେଳ ଖାଉଥିବା ଜଣାପଡ଼ିଛି
ଝିଅଙ୍କ ପାଇଁ ଦେଢ଼ ଲକ୍ଷର ଘଣ୍ଟା ଓ ସ୍ତ୍ରୀଙ୍କ ପାଇଁ ମ୍ୟାକବୁକ୍ ଉପହାର ନେଇଥିଲେ ବିଷ୍ଣୁପଦ
ଅଭିଯୁକ୍ତ ଦେବଦତ୍ତ ମହାପାତ୍ର ଗୋଟି ଗୋଟି କରି ସିବିଆଇ ପାଖରେ ଏସବୁ ତଥ୍ୟ ରଖିଛନ୍ତି।
କୋର୍ଟ ଉପଲବ୍ଧି କରିଛନ୍ତି ଯେ, ରେକର୍ଡରେ ଥିବା ପ୍ରମାଣ ଆଧାରରେ ଆବେଦନକାରୀଙ୍କ ଦୁର୍ନୀତିର ଅବାଧ ତଦନ୍ତ ଜରୁରୀ । ଏଥିପାଇଁ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । ସିବିଆଇ ହାତରେ ଲାଗିଥିବା ପ୍ରମାଣ, ଏବେ ବିଷ୍ଣୁପଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପର୍ଯ୍ୟାପ୍ତ ବୋଲି ଚର୍ଚ୍ଚା ହେଉଛି ।