କନକ ବ୍ୟୁରୋ : ଏବେ ବି ରହିଛି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କ କ୍ରେଜ୍ । ନବୀନଙ୍କୁ ଦେଖିବାକୁ ପ୍ରବଳ ଗହଳି । ଏ ହେଉଛି ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଦୃଶ୍ୟ । ପୂର୍ବ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ପ୍ରବଳ ଭିଡ଼ । ନବୀନଙ୍କୁ ଦେଖିବାକୁ ହେଲିପ୍ୟାଡ୍ ଭିତରକୁ ଧସେଇ ପଶିଲେ ଲୋକ । ଲୋକଙ୍କୁ କାଢି ଭିଡ଼ ନିୟନ୍ତ୍ରଣ କରିବାକୁ ନାକେଦମ ହେବାକୁ ପଡିଛି ପୋଲିସକୁ । ଅଦିନିଆ ବର୍ଷାରେ ଚାଷୀଙ୍କ କ୍ଷୟକ୍ଷତି ବୁଝିବା ପାଇଁ ଆଜି ୪ ଜିଲ୍ଲା ଗସ୍ତରେ ଅଛନ୍ତି ନବୀନ ପଟ୍ଟନାୟକ । 

Advertisment

ଫସଲହାନି ସ୍ଥିତିର ସମୀକ୍ଷା ପାଇଁ ପ୍ରଥମେ ପୁରୀ ଜିଲ୍ଲା ସତ୍ୟବାଦୀ ଗସ୍ତ କରିଛନ୍ତି । ଆଉ ସତ୍ୟବାଦୀରେ ପହଞ୍ଚିବା ପରେ ଏ ହେଉଛି ସେଠାକାର ଦୃଶ୍ୟ । ପୁରୀ ସତ୍ୟବାଦୀରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି କ୍ଷୟକ୍ଷତି ନେଇ ଆଲୋଚନା କରିଛନ୍ତି ନବୀନ । ଏହାପରେ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲା ଗସ୍ତର କାର୍ଯ୍ୟକ୍ରମ ରହିଛି । ଜଗତସିଂହପୁର ଜିଲ୍ଲା ବାହାରଣା ପଞ୍ଚାୟତର ରତିସିଂହା, କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ, ଏବଂ କଟକ ସାଲେପୁରରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବା ସହ ଫସଲ କ୍ଷୟକ୍ଷତି ନେଇ ଅଧିକାରୀଙ୍କ ସହ ଆଲୋଚନା କରିବେ ନବୀନ ପଟ୍ଟନାୟକ । ଅଦିନିଆ ବର୍ଷାରେ ବ୍ୟାପକ କ୍ଷତି ହୋଇଛି । ତୁରନ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି ନବୀନ ।