କନକ ବ୍ୟୁରୋ:  ଅଣସର ଘରେ ଜ୍ବରରେ କମ୍ପୁଥିଲେ କଳାସାଆନ୍ତେ । ଏଣେ ବିଶ୍ବନିଅଁନ୍ତାଙ୍କ ନବଯୌବନ ବେଶ ଦେଖିବାକୁ ବିଶ୍ବବାସୀ ଆତୁର । ୧୫ ଦିନର ପ୍ରତୀକ୍ଷା । କେତେ ଆଶା, କେତେ ଉତ୍କଣ୍ଠା । ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଟିକେ ଆଖି ପୂରାଇ ଦେଖିବାକୁ ଅନେଇ ବସିଥିଲା ଭକ୍ତ । ସ୍ନାନ ପୂର୍ଣ୍ଣିମାରେ ୧୦୮ଗରା ପବିତ୍ର ଜଳରେ ସ୍ନାନ ପରେ ଜ୍ବରରେ ପଡ଼ିଥିଲେ ମହାବାହୁ । ଯାହା ଇଚ୍ଛା ବିନା ପତ୍ର ବି ହଲେନି, ଯେବେ ସେ ଜ୍ବରରେ ପଡ଼େ ସାରା ଦୁନିଆକୁ ଚିନ୍ତା ଗ୍ରାସିଥିଲା । ଶେଷରେ ଫୁଲୁରି ତେଲ, ଦଶମୂଳ ମୋଦକ ଲାଗି  ଓ ରାଜବୈଦ୍ୟଙ୍କ ସେବାରେ ସୁସ୍ଥ ହେବା ପରେ ଆଜି ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି । ଦେଖୁନାହାନ୍ତି,ଏ ମେଘାଚ୍ଛନ୍ନ ଆକାଶ ଦେଖି ଲାଗୁନି, ଇନ୍ଦ୍ରଦେବ ବି ମଣିମାଙ୍କ ଦର୍ଶନ ଲାଗି ଓହ୍ଲେଇ ଆସିଛନ୍ତି  ।

ସକାଳ ୮ଟାରୁ ଆରମ୍ଭ ହୋଇଥିଲା ପରମାଣିକ ଦର୍ଶନ । ମଙ୍ଗଳ ଆଳତି, ଅବକାଶ ଓ ବେଶ ପରେ ସାହାଣମେଲାରେ ଦର୍ଶନ ଦେଇଥିଲେ ଶ୍ରୀଜିଉ । ଗୋଟିଏ ଦିନରେ ଶ୍ରୀମନ୍ଦିରରେ ପାଳିତ ହୋଇଛି ନେତ୍ରୋତ୍ସବ । ଲକ୍ଷାଧିକ ଭକ୍ତ ବଡ଼ ଦେଉଳରେ ଦାରୁଦିଅଁଙ୍କ ଦିବ୍ୟ ଦର୍ଶନ କରିଛନ୍ତି । ରାତି ପାହିଲେ ରଥଯାତ୍ରା ଥିବାରୁ ପୁରୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ଯାହାକୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବଡ଼ଠାକୁର ସେ... ଦିଅଁରେ ବଡ଼, ଦେଉଳରେ ବଡ଼, ଦାଣ୍ଡରେ ବଡ଼ । ହେଲେ ତାଙ୍କ ଲୀଳା ମାନବୀୟ । ତାକୁ ଭଲ ପାଉଥିବା ଭକ୍ତକୁ ଦେଖିବାକୁ ସେ ରାତି ପାହିଲେ ଦାଣ୍ଡକୁ ଆସିବେ । ଆଶା, ଆକାଂକ୍ଷା, ଅନୁଭୂତି ଓ ଅଭିଜ୍ଞତାର ପରୀକ୍ଷା ନେବେ ସାଆନ୍ତେ । ସେଥିପାଇଁ ରଥ, ପଥ ସବୁ ପ୍ରସ୍ତୁତ। ଅପେକ୍ଷା ମହାପ୍ରଭୁଙ୍କୁ ।  

Advertisment