କନକ ବ୍ୟୁରୋ : ବର୍ଷା ସମ୍ପର୍କରେ ସରକାର ଆଗୁଆ କୌଣସି ସୂଚନା ଦେଇନଥିଲେ । ଯଦି ଆଗୁଆ ସତର୍କ କରାଯାଇଥାନ୍ତା ତେବେ ଆମର ବର୍ଷକର ଖାଦ୍ୟ ନଷ୍ଟ ହେବାରୁ ବଞ୍ଚିଯାଇଥାନ୍ତା । କୌଣସି ବି ଚାଷୀ ଭାଇଙ୍କ ଜୀବନ ଯାଇନଥାନ୍ତା । କିଛି ଏହି ଭଳି ଭାବେ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଗରେ ଅଭିଯୋଗ ଆଣିଛନ୍ତି ଚାଷୀ ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଦିନିକିଆ ପୁରୀ, ଜଗତସିଂହପୁର କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲା ଗସ୍ତରେ ଯାଇ ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତିର ସ୍ଥିତି ପରଖିଥିଲେ । ପୁରୀର ସତ୍ୟବାଦୀ, କଟକର ସାଲେପୁର ଜଗତସିଂହପୁରର ବାଲିକୁଦା ଓ କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ, ଅଞ୍ଚଳରେ କ୍ଷତ୍ରିଗ୍ରସ୍ତ ଚାଷ ଜମି ବୁଲି ଦେଖିଥିଲେ । ଏହି ସମୟରେ ହଜାର ହଜାର ଚାଷୀ, ମହିଳା ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ଦୁଃଖ ଜଣାଇଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ ବର୍ଷା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଆଗୁଆ ସୂଚନା ଜାରି କରାଯାଇଥିଲେ ଫସଲ ବଞ୍ଚି ଯାଇଥାନ୍ତା ଓ ପ୍ରତିଦିନ ଚାଷୀ ପ୍ରାଣ ହରାଉନଥାନ୍ତେ । ଏପରି କହି ନବୀନଙ୍କ ଆଗରେ ଚାଷୀମାନେ କ୍ଷୋଭ ପ୍ରକାଶ କରିଛନ୍ତି । ସେହିପରି ଫସଲ ବୀମା ସମ୍ପର୍କରେ ମଧ୍ୟ ସରକାରଙ୍କ ତରଫରୁ ଠିକ ଭାବରେ ଅବଗତ କରାଯାଇନାହିଁ ବୋଲି ଚାଷୀମାନେ ବିରୋଧୀ ଦଳ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ନବୀନ ପଟ୍ଟନାୟକ ଚାଷୀମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି, ସେ ସବୁବେଳେ ଚାଷୀ ଭାଇ ଭଉଣୀଙ୍କ ସହ ଅଛନ୍ତି ଓ ସେମାନଙ୍କ ହକ ପାଇଁ ଲଢେଇ କରିବେ । ନବୀନ ପଟ୍ଟନାୟକ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଚାଷୀଙ୍କ ଦୁଃଖ ବୁଝିବାରେ ରାଜ୍ୟ ସରକାର ବିଫଳ । ଅଦିନିଆ ବର୍ଷାରେ ପ୍ରତିଦିନ ରାଜ୍ୟରେ ଚାଷ ନଷ୍ଟ ହେଉଛି । ଚାଷୀ ପ୍ରାଣ ହରାଉଛନ୍ତି ଯାହା ଅତ୍ୟନ୍ତ ଦୁଃଖର କଥା । ରାଜ୍ୟ ସରକାରଙ୍କ ଉପରେ ଚାଷୀ କୁଳର ଆଉ ଭରସା ନାହିଁ । ତୁରନ୍ତ ଚାଷୀଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବା ପାଇଁ ନବୀନ ପଟ୍ଟନାୟକ ସରକାରଙ୍କ ନିକଟରେ ଦୃଢ଼ ଦାବି ଜଣାଇଛନ୍ତି ।