କନକ ବ୍ୟୁରୋ : ଏଫଏମ ଛାତ୍ରୀ ଆତ୍ମହତ୍ୟା ଘଟଣା ହେଉ କି ବଳଙ୍ଗା ନାବାଳିକା ପୋଡି ମାମଲା, କିମ୍ବା ଓଟିଇଟି ପ୍ରଶ୍ନପତ୍ର ଚୋରି ପ୍ରସଙ୍ଗ, ସବୁର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । କିନ୍ତୁ ବିଡମ୍ବନା, ସବୁ ମାମଲାରେ ରହସ୍ୟ ଉପରୁ ପରଦା ହଟାଇ ପାରୁନି ତଦନ୍ତକାରୀ ସଂସ୍ଥା । ସାରାରାଜ୍ୟରେ ଚହଳ ପକାଇଥିବା ଏହି ତିନି ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଓଟିଇଟି ପ୍ରଶ୍ନପତ୍ର ଚୋରି ମାମଲାକୁ ୧୦ଦିନ, ଏଫଏମ ଛାତ୍ରୀ ଆତ୍ମାହୁତି ମାମଲାକୁ ତିନି ସପ୍ତାହ, ବଳଙ୍ଗା ନାବାଳିକା ପୋଡି ମାମଲାକୁ ୧୫ ଦିନ ବିତିଲାଣି । କିନ୍ତୁ ତିନି ମାମଲାର ରହସ୍ୟ ଉପରୁ ପରଦା ହଟାଇ ପାରିନି କ୍ରାଇମବ୍ରାଞ୍ଚ । ଯାହାକି କ୍ରାଇମବ୍ରାଞ୍ଚ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । 

Advertisment

ଓଟିଇଟି ପ୍ରଶ୍ନପତ୍ର ଚୋରି ମାମଲାରେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତିଙ୍କ ଭୂମିକା ସନ୍ଦେହ ଘେରରେ ରହିଛି । ତାଙ୍କ ଲାପଟପରୁ ପ୍ରଶ୍ନପତ୍ର ଚୋରି ହୋଇଥିବାରୁ ତାଙ୍କର ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି । ସେଥିପାଇଁ ଆଜି ପୁଣି ତାଙ୍କୁ ଡାକି ଜେରା କରାଯାଇଛି । କିନ୍ତୁ ତାଙ୍କୁ ଏପର୍ଯ୍ୟନ୍ତ ଗିରଫ କରିନଥିବାରୁ କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିପରି ପ୍ରସଙ୍ଗରେ ବୋର୍ଡ କର୍ତ୍ତୁପକ୍ଷ, ନିର୍ଦ୍ଦେଶକ, ସଚିବ ଚୁପ ରହିବା ସନ୍ଦେହକୁ ବଢ଼ାଇ ଦେଇଛି । ବଳଙ୍ଗା ନାବାଳିକା ପୋଡ଼ି ମାମଲା ଏବେ ବି ରହସ୍ୟମୟ ହୋଇ ରହିଛି । କ୍ରାଇମବ୍ରାଞ୍ଚ ଟିମ୍ ବାରମ୍ବାର କ୍ରାଇମସ୍ପଟକୁ ଯାଇ ଛାନଭିନ କରିଥିଲେ ବି ଅଭିଯୁକ୍ତ ପାଖରେ ପହଞ୍ଚି ପାରିନି । କେବଳ ପଚରାଉଚୁରାରେ ସୀମିତ ରହିଛନ୍ତି ତଦନ୍ତକାରୀ ଟିମ୍ । 

ଏଫଏମ ଛାତ୍ରୀ ଆତ୍ମହତ୍ୟା ମାମଲାରେ ସମାନ ସ୍ଥିତି । କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର ଟିମ୍ ଏଫଏମ କଲେଜ, ମୃତ ଛାତ୍ରୀଙ୍କ ଗାଁ, ପେଟ୍ରୋଲ ପମ୍ପକୁ ଯାଇ ଯାଞ୍ଚ କରିଥିଲେ ବି ଅଧାରେ ଅଟକିଛି । କଣ ପାଇଲା କଣ ନାହିଁ ତାହା ରହସ୍ୟରେ ରହିଛି ।  ରାଜ୍ୟର ତିନି ସମ୍ବେଦନଶୀଳ ମାମଲାରେ ଏଭଳି ତଦନ୍ତ କ୍ରାଇମବ୍ରାଞ୍ଚର ଦକ୍ଷତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି ।