କନକ ବ୍ୟୁରୋ: ଓଟିଇଟି ପ୍ରଶ୍ନପତ୍ର ଲିଙ୍କରେ ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କ ସମେତ ୮ ଜଣଙ୍କୁ ଗିରଫ ସତ୍ତ୍ବେ ରହସ୍ୟ ଉପରୁ ପର୍ଦ୍ଦା ଉଠାଇ ପାରିନି କ୍ରାଇମବ୍ରାଞ୍ଚ । ଜଣେ ମହିଳା ଡାଟା ଏଣ୍ଟ୍ରି ଅପରେଟଙ୍କୁ ଗତ ୨ ଦିନ ହେବ ଘନଘନ ଜେରା କରାଯାଉଛି । ସମ୍ପୃକ୍ତ ମହିଳାଙ୍କ ଭୂମିକା ସନ୍ଦେହଘେରରେ ଥିବାରୁ ତାଙ୍କୁ ଆଜି ବି ଜେରା କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ । ସେ ନିହାରଙ୍କ ପାଖରେ କାମ କରୁଥିବାରୁ ତାଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି ।
ସେପଟେ ଗିରଫ ୩ ଜଣ ନିହାର ମହାନ୍ତି, ଜିତେନ୍ ମହାରଣା ଓ ଅବସରପ୍ରାପ୍ତ ଶିକ୍ଷକ ବିଜୟ ମିଶ୍ରଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ପ୍ରଶ୍ନପତ୍ର ଲିକ୍ ପଛରେ କେତେ ଅର୍ଥ କାରବାର ହୋଇଛି? କାହାର ଭାଗ କେତେ? ଆଉ କାହାର ଏଥିରେ ସମ୍ପୃକ୍ତି ରହିଛି ? ସେନେଇ ରିମାଣ୍ଡ ବେଳେ ଜେରା କରାଯିବ । ଏପଟେ ଆଜି ଲୋକସେବା ଭବନରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରେଇ । ତେବେ ଉଭୟଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଛି, ସେନେଇ ମୁହଁ ଖୋଲିନାହାନ୍ତି ବୋର୍ଡ ସଭାପତି । ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା ପରେ ସୁରକ୍ଷା ଦୃଷ୍ଟିକୋଣରୁ ବୋର୍ଡ ଆଗକୁ ଭିଡିଓଗ୍ରାଫି କରିବାର ବ୍ୟବସ୍ଥା କରୁଛି ।