କନକ ବ୍ୟୁରୋ : ଗୋବରରୁ ପ୍ରସ୍ତୁତ ଗୋ କାଷ୍ଠରେ ହେବ ଶବଦାହ । ସ୍ୱର୍ଗଦ୍ୱାରରେ ଏଣିକି ଗଛ କାଠ ବଦଳରେ ଗୋବର କାଠ ବା ଘଷିରେ ହେବ ଶବ ଦାହ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଗୋବରକୁ ଶବ ଦାହରେ ବ୍ୟବହାର କରାଯାଏ । ସରକାର ଏ ନେଇ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଖୁବ ଶୀଘ୍ର ବିଚାର ବିମର୍ଶ କରି ସ୍ୱର୍ଗଦ୍ୱାରରୁ ଆରମ୍ଭ ହେବ ସରକାରଙ୍କ ଏହି ପଦକ୍ଷେପ । ଏନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି । ଯେଉଁମାନେ ପରିଚାଳନା ଦାୟିତ୍ୱରେ ଅଛନ୍ତି ସେମାନଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ।
ଗୋ ମୁତ୍ର ଓ ଗୋବରର ସଦୁପଯୋଗ ପାଇଁ ସରକାର ଚିନ୍ତା କରୁଛନ୍ତି । ଏଥିରେ ଗୋମାତା ସୁରକ୍ଷା ଓ ଗୋଶାଳା ବୃଦ୍ଧିକୁ ବି ସରକାର ଗୁରୁତ୍ଵ ଦେଉଛନ୍ତି । ଗୋ ସୁରକ୍ଷା , ଗୋ ମୁତ୍ର ଓ ଗୋବରର ସଦୁପଯୋଗ କ୍ଷେତ୍ରରେ ବିଚାର ବିମର୍ଶ ପାଇଁ ଗଠିତ ହେବ କମିଟି । ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ । ୫ ଜଣ ମନ୍ତ୍ରୀ ଓ ୫ ଜଣ ସଚିବ ଏହି କମିଟିର ସଦସ୍ୟ ରହିବେ ।