କନକ ବ୍ୟୁରୋ  :ଫରଫର ହୋଇ ଉଡୁଛି ତ୍ରିରଙ୍ଗା ଆମର
                       ଆକାଶରେ ଦିଶୁଛି କେତେ ସୁନ୍ଦର
                       ଏହା ହେଉଛି ଆମ ଦେଶର ଗର୍ବ, ଗୌରବ 
                       ଏହା ଆମ ସ୍ୱାଭିମାନର ପ୍ରତୀକ
                       ତ୍ରିରଙ୍ଗା ତଳେ ଆମେ ସବୁ ଏକାକାର

Advertisment

ତ୍ରିରଙ୍ଗା… ଭାରତର ଗର୍ବ, ଗୌରବ ଏବଂ କୋଟି କୋଟି ଭାରତୀୟଙ୍କ ସମ୍ମାନର ପ୍ରତୀକ  । ପ୍ରତ୍ୟେକଟି ଭାରତୀୟ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ତ୍ରିରଙ୍ଗା । ଏହା କେବଳ ଏକ ପତାକା ନୁହେଁ ବରଂ ଆମ ଦେଶର ପରିଚୟ । ଆଜି ସ୍ୱାଧୀନତା ଦିବସରେ ସାରା ଭାରତରେ ଫର୍‌ ଫର୍‌ ହୋଇ ଉଡୁଛି ଆମ ଜାତୀୟ ପତାକା । ଦିଲ୍ଲୀଠୁ ପଲ୍ଲୀ ସବୁଠି ଆମ ଜାତୀୟ ପର୍ବକୁ ପାଳନ କରାଯାଉଛି । କିନ୍ତୁ ଆପଣ ଜାଣନ୍ତି କି ଜାତୀୟ ପତାକାର ଇତିହାସ? କିଏ ନିର୍ମାଣ କରିଥିଲେ ଆମ ତ୍ରିରଙ୍ଗା ?
ଭାରତୀୟ ଜାତୀୟ ପତାକାର ଇତିହାସ ଦେଶର ସ୍ୱାଧୀନତା ସଂଗ୍ରାମ ସହିତ ଓତଃପ୍ରୋତ ଭାବେ ଜଡିତ । ଆମ 'ତ୍ରିରଙ୍ଗା'ର ନକ୍ସା ପ୍ରସ୍ତୁତ କରିଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ୍ ଓ କୃଷିବିତ୍ ପିଙ୍ଗଳି ଭେଙ୍କୟା । 

୧୯୨୧ ମସିହାରେ ପିଙ୍ଗଳି ଭେଙ୍କୟାଙ୍କ ଦ୍ୱାରା ପ୍ରସ୍ତୁତ ପତାକାରେ ଲାଲ ଓ ସବୁଜ ରଙ୍ଗ ସହ ମଝିରେ ଏକ ଚରଖା ରହିଥିଲା । ପରେ, ୧୯୩୧ ମସିହାରେ ଏକ ସଂକଳ୍ପ ପାରିତ କରାଯାଇ ତ୍ରିରଙ୍ଗା ପତାକାକୁ ଗ୍ରହଣ କରାଗଲା, ଯେଉଁଥିରେ କମଳା, ଧଳା ଓ ସବୁଜ ରଙ୍ଗ ସହ ମଝିରେ ଚରଖା ରଖାଗଲା । ଶେଷରେ, ୧୯୪୭ ମସିହା ଜୁଲାଇ ୨୨ ତାରିଖରେ ଡ. ରାଜେନ୍ଦ୍ର ପ୍ରସାଦଙ୍କ ଅଧ୍ୟକ୍ଷତାରେ ବସିଥିବା ସମ୍ବିଧାନ ସଭାରେ ପଣ୍ଡିତ ଜବାହରଲାଲ ନେହେରୁ ତ୍ରିରଙ୍ଗା ପତାକାକୁ ଜାତୀୟ ପତାକା ଭାବେ ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବରେ ଚରଖା ସ୍ଥାନରେ ସାରନାଥର ଅଶୋକ ସ୍ତମ୍ଭରୁ "ଧର୍ମ ଚକ୍ର"କୁ ସ୍ଥାନିତ କରାଗଲା ପତାକାର ଉପର ଭାଗରେ ଥିବା କମଳା ରଙ୍ଗ ସାହସ ଓ ବଳିଦାନର ପ୍ରତୀକ ହୋଇଥିବାବେଳେ, ମଝିରେ ଥିବା ଧଳା ରଙ୍ଗ ଶାନ୍ତି ଓ ସତ୍ୟର ପ୍ରତୀକ । ସେହିପରି ତଳ ଭାଗରେ ଥିବା ସବୁଜ ରଙ୍ଗ ବିଶ୍ୱାସ ଓ ବୀରତ୍ୱର ପ୍ରତୀକ ଅଟେ ।

ସ୍ୱାଧୀନତା ଦିବସ କେବଳ ପତାକାକୁ ସମ୍ମାନ ଦେବାର ଦିନ ନୁହେଁ, ବରଂ ଏହା ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ମନେ ପକାଇବା ସହ ଦେଶବାସୀଙ୍କ ମଧ୍ୟରେ ଏକତା ଓ ଦେଶପ୍ରେମର ଭାବନାକୁ ଆହୁରି ମଜଭୁତ କରିଥାଏ । ତେବେ ସ୍ୱାଧୀନତା ଦିବସ ଉପଲକ୍ଷେ କନକ ନ୍ୟୁଜ୍‌ ତରଫରୁ ପ୍ରତ୍ୟେକ ଭାରତୀୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ଜୟ ହିନ୍ଦ୍‌..ଜୟ ଭାରତ…