କନକ ବ୍ୟୁରୋ:  ବାରଙ୍ଗରେ ହେବ ଦେଶର ପ୍ରଥମ ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟ । ୩୦ ଏକର ଜମି ଚିହ୍ନଟ; ଆବଣ୍ଟନ ପ୍ରକ୍ରିୟା ଆରମ୍ଭ । ଗଙ୍ଗେଶ୍ବର ମୌଜାରେ ନିର୍ମାଣ ହେବ ଦେଶର ପ୍ରଥମ ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟ । ଏଥିପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଚୂଡ଼ାନ୍ତ ଅନୁମୋଦନ ଅପେକ୍ଷାରେ ରହିଛି । ଏହି ବିଶ୍ବବିଦ୍ୟାଳୟ ପାଇଁ ମୋଟ୍ ୨୯.୭୫ ଏକର ଜମି ଚିହ୍ନଟ କରାଯାଇଛି । ବିଭାଗ ପକ୍ଷରୁ କଟକ ସହର ଭିତରେ ଜମି ବାଛିବା  ପାଇଁ କୁହାଯାଇଥିଲା, କିନ୍ତୁ ସହର ଭିତରେ ଏକ ବିଶ୍ବବିଦ୍ୟାଳୟ ନିର୍ମାଣ ପାଇଁ ଆବଶ୍ୟକ ଜମି ମିଳିପାରି ନଥିଲା ।

Advertisment

ତେଣୁ ସହର ବାହାରେ କୌଣସିଠାରେ ଜମି ଖୋଜା ଯାଇଥିଲା  ବେଳେ ପ୍ରାଥମିକ ପର୍ଯ୍ୟାୟରେ ବାରଙ୍ଗରେ ପାଖାପାଖି ୪୦ ଏକର ଜମି ଅଧିଗ୍ରହଣ ପାଇଁ ବଛାଯାଇଥିଲା । ପରବର୍ତ୍ତୀ ସମୟରେ ବିଶ୍ବବିଦ୍ୟାଳୟ ପାଇଁ ପାଖାପାଖି ୩୦ ଏକର ଜମି ଚିହ୍ନଟ ହୋଇଥିଲା । ଏହି ଜମିକୁ ଏସ୍‌ଏସ୍‌ଇପିଡି ନାମକୁ ଆଣିବା ପାଇଁ ଏବେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ସଂଯୋଜକ ଭାବେ ଦାୟିତ୍ବ ଦିଆଯାଇଛି । ଜମି ଆବଣ୍ଟନ ପ୍ରକ୍ରିୟା  ଶେ‌ଷ କରିବାକୁ ବିଭାଗ ଦାୟିତ୍ବ ନ୍ୟସ୍ତ କରିଥିବା ଜଣାପଡ଼ିଛି । ଏହି କେନ୍ଦ୍ରୀୟ ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟକୁ ସନ୍ଥ କବି ଭୀମଭୋଇଙ୍କ ନାମରେ ନାମିତ କରିବା ପାଇଁ ରାଜ୍ୟ ସରକାର ସୁପାରିସ କରିଛନ୍ତି ।