କନକବ୍ୟୁରୋ : ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚନ କମିସନ ତାରିଖ ଘୋଷଣା କରିବା ପରେ ଏବେ ଅନେକ ନାଁ ସମ୍ଭାବ୍ୟ ପ୍ରାର୍ଥୀ ଭାବେ ଚର୍ଚ୍ଚାରେ ଅଛି । ଏମାନଙ୍କ ମଧ୍ୟରେ ଅଛନ୍ତି ବର୍ତ୍ତମାନର ରାଜ୍ୟସଭା ଉପାଧ୍ୟକ୍ଷ ତଥା ଜନତା ଦଳ- ୟୁର ରାଜ୍ୟସଭା ସଦସ୍ୟ ହରିବଂଶ ନାରାୟଣ ସିଂହ । ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ସେ ରାଜ୍ୟସଭାର କାର୍ଯ୍ୟ ପରିଚାଳନା କରୁଛନ୍ତି ।
ଆଉଜଣେ ହେଲେ ନୀତୀଶ କୁମାର । ଏବେ ନୀତୀଶ ବିହାର ମୁଖ୍ୟମନ୍ତ୍ରୀ ଅଛନ୍ତି । ତାଙ୍କ ଦୀର୍ଘ ରାଜନୈତିକ ଅଭିଜ୍ଞତା ଓ ଏନଡିଏର ପ୍ରମୁଖ ସହଯୋଗୀ ଭାବେ ତାଙ୍କ ନାଁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚର୍ଚ୍ଚାରେ ଅଛି । ଆଉ ଜଣେ ହେଲେ ଜମ୍ମୁ ଓ କାଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା । ସେ ପୂର୍ବରୁ ସାଂସଦ ଓ କେନ୍ଦ୍ର ମନ୍ତ୍ରୀ ଥିଲେ । ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନାଙ୍କ ନାଁ ମଧ୍ୟ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚର୍ଚ୍ଚାରେ ଅଛି । କେନ୍ଦ୍ରମନ୍ତ୍ରୀ ତଥା ଜେଡି-ୟୁ ନେତା ରାମ ନାଥ ଠାକୁର ବି ଚର୍ଚ୍ଚାରେ ଅଛନ୍ତି । ତେବେ ବଡ଼ କଥା ହେଲା ବିଜେପି ଉପରାଷ୍ଟ୍ରପତି ପ୍ରାର୍ଥୀ ଦେବ ବୋଲି ପୂର୍ବରୁ କହିଛି ।