କନକ ବ୍ୟୁରୋ : ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ । ଦିଲ୍ଲୀରୁ ପଲ୍ଲୀ ସବୁଠି ସ୍ୱତନ୍ତ୍ରତାର ଦିନକୁ ନେଇ ଉତ୍ସାହର ମାହୋଲ । ପିଲାଠୁ ବୁଢା ସଭିଏଁ ଦେଶପ୍ରେମରେ ମସଗୁଲ । ଆଉ ମାତ୍ର କିଛି ସମୟ ମଧ୍ୟରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲଗାତାର ୧୨ଥର ପାଇଁ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ ସହ ରାଷ୍ଟ୍ର ଉଦେଶ୍ୟରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ । ଏହା ପୂର୍ବରୁ ରାଜଘାଟ ଯାଇ ମହାତ୍ମାଗାନ୍ଧିଙ୍କ ସମାଧି ପୀଠରେ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଏଥର, ସାରା ଦେଶରୁ ମନୋନୀତ ୨୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୫ଟି ଗାଁର ସରପଞ୍ଚଙ୍କୁ ଉତ୍ସବରେ ବିଶେଷ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଛି । ଗ୍ରାମୀଣ ଭାରତରେ ପରିମଳ, ନିରାପଦ ପାନୀୟ ଜଳ, ମହିଳା ସଶକ୍ତିକରଣ ଏବଂ ସ୍ଥାୟୀ ଶାସନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସରପଞ୍ଚମାନଙ୍କୁ ସମ୍ମାନିତ କରାଯିବ । ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ ଅଧୀନରେ ସମସ୍ତ ମନୋନୀତ ପଞ୍ଚାୟତକୁ ଓଡିଏଫ୍ ପ୍ଲସ୍ ଏବଂ ଜଳ ଜୀବନ ମିଶନ ଅଧୀନରେ ହର ଘର ଜଳ ଗ୍ରାମ ଘୋଷଣା କରାଯାଇଛି । ଲାଲକିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୧୧ହଜାରରୁ ଅଧିକ ସୁରକ୍ଷା କର୍ମୀ ଏବଂ ୩ହଜାରରୁ ଅଧିକ ଟ୍ରାଫିକ୍ ପୋଲିସ ନିୟୋଜିତ ହୋଇଛନ୍ତି । ଉଚ୍ଚ କୋଠାଗୁଡ଼ିକରେ ସ୍ନାଇପରମାନଙ୍କୁ ନିୟୋଜିତ କରାଯାଇଛି । ତଦାରଖ ଦଳଗୁଡ଼ିକ ଛାତ ଉପରୁ କାର୍ଯ୍ୟକଳାପ ଉପରେ ନିରନ୍ତର ନଜର ରଖିବେ । ଡ୍ରୋନ୍-ବିରୋଧୀ ୟୁନିଟ୍, ସିସି ଟିଭି କ୍ୟାମେରା, ମୁହଁ ଚିହ୍ନଟ ବ୍ୟବସ୍ଥା, ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ ଏବଂ ପ୍ରଥମ ଥର ପାଇଁ, ଯାନବାହନ ତଳେ ନିରୀକ୍ଷଣ ବ୍ୟବସ୍ଥା ଭଳି ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଉଛି । ଯେକୌଣସି ବିସ୍ଫୋରକ, ଅସ୍ତ୍ରଶସ୍ତ୍ର କିମ୍ବା ସନ୍ଦେହଜନକ ସାମଗ୍ରୀ ଚିହ୍ନଟ କରିବା ପାଇଁ ପାଞ୍ଚଟି ପାର୍କିଂ ସ୍ଥାନରେ ଯାନର ତଳ ପାର୍ଶ୍ୱ ଯାଞ୍ଚ କରାଯିବ ।
-ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ
-ସ୍ୱତନ୍ତ୍ରତାର ଦିନକୁ ନେଇ ସବୁଠି ଉତ୍ସାହର ମାହୋଲ
-ପିଲାଠୁ ବୁଢା ସଭିଏଁ ଦେଶପ୍ରେମରେ ମସଗୁଲ
-ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ
-ରାଷ୍ଟ୍ର ଉଦେଶ୍ୟରେ ଅଭିଭାଷଣ ରଖିବେ ନରେନ୍ଦ୍ର ମୋଦୀ
-୮୫ଟି ଗାଁର ସରପଞ୍ଚଙ୍କୁ ଉତ୍ସବରେ ବିଶେଷ ଅତିଥି ଭାବରେ ନିମନ୍ତ୍ରଣ
-ଲାଲକିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା
-୧୧ହଜାରରୁ ଅଧିକ ସୁରକ୍ଷା କର୍ମୀ, ୩ହଜାରରୁ ଅଧିକ ଟ୍ରାଫିକ୍ ପୋଲିସ
-ଉଚ୍ଚ କୋଠାଗୁଡ଼ିକରେ ସ୍ନାଇପରମାନଙ୍କୁ ନିୟୋଜିତ କରାଯାଇଛି
-ଡ୍ରୋନ୍-ବିରୋଧୀ ୟୁନିଟ୍, ସିସି ଟିଭି କ୍ୟାମେରା ନଜରରେ ଦିଲ୍ଲୀ