କନକ ବ୍ୟୁରୋ: ସୋନପୁରରେ ଥିବା ପାତାଳୀ ଶ୍ରୀକ୍ଷେତ୍ରକୁ ନେଇ ବିବାଦ ହାଇକୋର୍ଟରେ ପହଞ୍ଚିଛି । ପାତାଳି ଶ୍ରୀକ୍ଷେତ୍ର ଉପରେ ପ୍ରତ୍ନତତ୍ତ୍ବ ପ୍ରମାଣ ନଥିବା ନେଇ ଏଏସଆଇ ରିପୋର୍ଟ ଦାଖଲ କରିବା ପରେ ବିବାଦ ବଢ଼ିଛି । ସୋନପୁରର ବଘାପଲି ଏବଂ କୋଟସମଲାଇ ଅଞ୍ଚଳରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସୁରକ୍ଷା ଦୃଷ୍ଟିରୁ ମାଟି ତଳେ ପୋତି ଦିଆଯାଇଥିଲା ବୋଲି ବିଶ୍ବାସ ରହିଛି । କିନ୍ତୁ ଗତ ନଭେମ୍ବର ୨୦୨୪ରେ ଏଏସଆଇ ଦାଖଲ କରିଥିବା ରିପୋର୍ଟରେ ଏସମ୍ପର୍କରେ କୌଣସି ପ୍ରମାଣ ନଥିବା  ଦର୍ଶାଯାଇଥିଲା । ଏଏସଆଇ ଏକ୍ସପର୍ଟ କମିଟି ପକ୍ଷରୁ ତ୍ରିକୁଟ ପାହାଡରେ ଅନୁସନ୍ଧାନ କରାଯାଇଥିଲା । ବୈଜ୍ଞାନିକ ଯାଞ୍ଚରୁ କିଛି ପତ୍ନତାତ୍ତ୍ବିକ ପ୍ରମାଣ ମିଳିନଥିଲା ବୋଲି ଏଏସଆଇ ପକ୍ଷରୁ ରିପୋର୍ଟ ଦାଖଲ କରାଯାଇଥିଲା । ଯାହାକୁ ଚ୍ୟାଲେଞ୍ଜ କରି ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ହାଇକୋର୍ଟରେ ଆବଦେନ କରାଯାଇଥିଲା । 

Advertisment

ଶହ ଶହ ବର୍ଷ ଧରି ରହିଥିବା ପୁରୁଣା ପରମ୍ପରା ଏବଂ ଧାର୍ମିକ ବିଶ୍ବାସକୁ ଏଏସଆଇ ଅଣଦେଖା କରିଥିବା ଅଭିଯୋଗ ହୋଇଛି । ପୁରୁଣା ଗ୍ରନ୍ଥ, ବେଦ, ପୁରାଣରେ ପାତାଳୀ ଶ୍ରୀକ୍ଷେତ୍ର ସମ୍ପର୍କରେ ଉଲ୍ଲେଖ କରାଯାଇଛି ବୋଲି ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ କହିଥିଲା । ତେବେ ହାଇକୋର୍ଟ ଏହି ମାମଲାକୁ ଗ୍ରହଣ କରି ଅକ୍ଟୋବର ୧୫ରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି ।  ଏଥିସହ ଦେବତ୍ୱର ଆୟୋଗଙ୍କ ଠାରୁ ରିପୋର୍ଟ ମାଗିଛନ୍ତି କୋର୍ଟ ।