National WomensDay Photograph: (Kanak News)
କନକ ବ୍ୟୁରୋ: ନାରୀ ହେଉଛି ସୃଷ୍ଟିର ଆଧାର, ଶକ୍ତିର ପ୍ରତୀକ ଏବଂ ମମତାର ମୂର୍ତ୍ତିମନ୍ତ କବିତା । ଜଣେ ନାରୀ କେତେବେଳେ ଜନନୀ ହୋଇ ଜୀବନ ଦାନ କରେ ତ ପୁଣି କେତେବେଳେ ଦୁର୍ଗା ହୋଇ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରେ । ଆଜି ସେହି ଅନନ୍ୟା ନାରୀଶକ୍ତିକୁ ସମ୍ମାନ ଜଣାଇବାର ଦିନ । ଏହି ଦିବସ ଆମକୁ ମନେ ପକାଇଦିଏ ଯେ, ଦେଶର ବିକାଶରେ ନାରୀର ଭୂମିକା କେବଳ ଘରର ଚାରିକାନ୍ଥରେ ସୀମିତ ନୁହେଁ, ବରଂ ଦେଶ ଗଢ଼ିବାରେ ତାଙ୍କର ସମାନ ଭାଗିଦାରୀ ରହିଛି ।
ଭାରତରେ ପ୍ରତିବର୍ଷ ଫେବ୍ରୁଆରି ୧୩ ତାରିଖରେ ଜାତୀୟ ମହିଳା ଦିବସ ପାଳନ କରାଯାଏ । ଏହି ଦିନଟି ରାଷ୍ଟ୍ରୀୟ ସ୍ତରରେ ସମ୍ମାନିତ କବି, ସ୍ୱାଧୀନତା ସଂଗ୍ରାମୀ ଏବଂ ମହିଳା ଅଧିକାରର ପ୍ରବର୍ତ୍ତକ ସରୋଜିନୀ ନାଇଡୁଙ୍କ ଜୟନ୍ତୀ ଅବସରରେ ପାଳିତ ହୋଇଥାଏ । "ଭାରତ କୋକିଳା" ଭାବେ ପରିଚିତ ସରୋଜିନୀ ନାଇଡୁ ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ପାଇଁ ସର୍ବଦା ସ୍ମରଣୀୟ । ତାଙ୍କର ଜନ୍ମ ୧୮୭୯ ମସିହା ଫେବ୍ରୁଆରି ୧୩ ତାରିଖରେ ହୋଇଥିଲା ।
ଆହୁରି ପଢ଼ନ୍ତୁ... ହାତୀ ପାଇଁ ବାଟ ଛାଡ଼ିଲା ଟ୍ରେନ୍, ରେଳଟ୍ରାକ ଅତିକ୍ରମ କରୁଥିଲେ ୧୪ଟିକିଆ ହାତୀପଲ
ଏହି ଦିବସଟି କେବଳ ସରୋଜିନୀ ନାଇଡୁଙ୍କ ସ୍ମୃତିରେ ପାଳିତ ହୁଏ ନାହିଁ, ବରଂ ଭାରତୀୟ ମହିଳାମାନଙ୍କର ବିଭିନ୍ନ କ୍ଷେତ୍ରରେ ଥିବା ଅବଦାନ ଓ ସଫଳତାକୁ ସମ୍ମାନ ଜଣାଇବା ପାଇଁ ଏକ ମଞ୍ଚ ପ୍ରଦାନ କରେ । ଏହା ମହିଳା ସଶକ୍ତିକରଣ, ଲିଙ୍ଗ ସମାନତା ଏବଂ ସମସ୍ତ କ୍ଷେତ୍ରରେ ମହିଳାମାନଙ୍କ ନେତୃତ୍ୱର ଗୁରୁତ୍ୱ ଉପରେ ଆଲୋକପାତ କରେ । ସରୋଜିନୀ ନାଇଡୁ ଜଣେ ପ୍ରଥମ ପିଢ଼ିର ନାରୀବାଦୀ ଥିଲେ ଏବଂ ସେ ନାରୀମାନଙ୍କ ଶିକ୍ଷା, ସମାନ ଅଧିକାର ଏବଂ ରାଜନୈତିକ ସଶକ୍ତିକରଣ ପାଇଁ ସଂଗ୍ରାମ କରିଥିଲେ । ତାଙ୍କର ଏହି ଅବଦାନ ହିଁ ଭାରତୀୟ ମହିଳାମାନଙ୍କୁ ସେମାନଙ୍କ ଅଧିକାର ପାଇଁ ଲଢ଼ିବାକୁ ଏବଂ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ପ୍ରୋତ୍ସାହିତ କରେ ।
ଜାତୀୟ ମହିଳା ଦିବସ ଭାରତରେ ସୀମିତ ଥିବାବେଳେ, ଅନ୍ତର୍ଜାତୀୟ ମହିଳା ଦିବସ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ସାରା ବିଶ୍ୱରେ ପାଳିତ ହୁଏ । ଅନ୍ତର୍ଜାତୀୟ ମହିଳା ଦିବସ ମହିଳା ଅଧିକାର ଆନ୍ଦୋଳନର ଏକ ମହତ୍ତ୍ୱପୂର୍ଣ୍ଣ ଦିନ ଭାବେ ପରିଗଣିତ ହୋଇଥାଏ ଏବଂ ଏହା ପ୍ରଜନନ ଅଧିକାର, ଲିଙ୍ଗ ସମାନତା, ଏବଂ ନାରୀ ବିରୋଧୀ ହିଂସା ଓ ନିର୍ଯାତନା ଭଳି ପ୍ରସଙ୍ଗ ଉପରେ ଆଲୋକପାତ କରେ ।
ଓଡ଼ିଶାରେ ମଧ୍ୟ ଜାତୀୟ ମହିଳା ଦିବସକୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯାଇଥାଏ । ଏହି ଅବସରରେ ମହିଳାମାନଙ୍କର ସାମାଜିକ, ଆର୍ଥିକ ଓ ରାଜନୈତିକ ଅବଦାନକୁ ସ୍ୱୀକୃତି ଦିଆଯାଏ । ସରକାରୀ ଏବଂ ବେସରକାରୀ ସଂଗଠନମାନେ ମହିଳା ସଶକ୍ତିକରଣ ଏବଂ ଲିଙ୍ଗ ସମାନତା ଉପରେ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି । ଏହା ମହିଳାମାନଙ୍କୁ ସେମାନଙ୍କ ଅଧିକାର ଓ ସାମର୍ଥ୍ୟ ବିଷୟରେ ସଚେତନ କରିବା ଏବଂ ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପାଳିତ ହୋଇଥାଏ ।
Follow Us