କନକ ବ୍ୟୁରୋ: ରାସ୍ତା କାମକୁ ନେଇ ଗାଁରେ ଉତ୍ତେଜନା। କାମ ହେଉଥିବା ସ୍ଥାନରେ ବିଭାଗୀୟ ଯନ୍ତ୍ରୀ କିମ୍ବା କର୍ମଚାରୀଙ୍କ ଦେଖାଦର୍ଶନ ନାହିଁ । ମନଇଛା କାମ କରୁଛନ୍ତି ଠିକାଦାର । ଏନେଇ ଅନେକ ଥର ବିଭାଗୀୟ ଅଧିକାରୀଙ୍କୁ ଜଣାଇଛନ୍ତି। ତଥାପି କେହି ଶୁଣୁନାହାନ୍ତି । ତେଣୁ ନିରାଶ ହୋଇ ରାସ୍ତାକାମ ବନ୍ଦ କରିଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଟୋଲଙ୍କପଡ଼ା ଗ୍ରାମବାସୀ ।
ବନ୍ୟା ପ୍ରବଣ ଏହି ଅଞ୍ଚଳ । ବର୍ଷା ଦିନେ ବନ୍ୟା ଆସିଲେ ଏହି ରାସ୍ତାରେ ଘାଇ ହୋଇ ଅନେକ କ୍ଷୟକ୍ଷତି କରିଥାଏ । ଏହାକୁ ଦୃଷ୍ଟିରେ ରଖି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ପ୍ରଶସ୍ତିକରଣ ପାଇଁ ୨ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି । ୩ କିଲୋମିଟର ରାସ୍ତାକୁ ଓସାରିଆ କରି ୫.୫ ମିଟର କରାଯିବ। ହେଲେ ଠିକାଦାର ବାଲିଆ ମାଟିରେ ରାସ୍ତା କାମ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ନିମ୍ନମାନର ନିର୍ମାଣ ଯୋଗୁଁ ଗୋଟିଏ ବନ୍ୟାରେ ରାସ୍ତା ଧୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି । ସେପଟେ ଏନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।