କନକ ବ୍ୟୁରୋ: ନବୀନ ସରକାର ସମୟରେ ଅଣଓଡିଆ ଠିକାଦାର ପ୍ରୀତିକୁ ନେଇ ରାଜ୍ୟ ରାଜନୀତି ଉଠିଥିଲା ପଡିଥିଲା । ଶେଷରେ ବଦଳିଲା ବିଜେଡି ସରକାର । ଲୋକେ ଆଶା ରଖିଥିଲେ ଓଡ଼ିଆ ଠିକାଦାର କାମ ପାଇବେ ଓ ଦୁର୍ନୀତି ହଟିବ । ମାତ୍ର ବାସ୍ତବ ଚିତ୍ର ପୁରା ଅଲଗା । ଠିକାଦାର ଠିକଭାବେ କାମ କରୁନାହାନ୍ତି, ଓଲଟା କୋଟି କୋଟି ଟଙ୍କା ନେଇ ଠକୁଛନ୍ତି । ବିଧାନସଭାର ପିଏସି କମିଟିରେ ଏଭଳି ସଙ୍ଗୀନ ତଥ୍ୟ ସାମ୍ନାକୁ ଆସିଛି । ନିକଟରେ ପିଏସି ବୈଠକରେ ସବୁ ସଦସ୍ୟ ଉଦବେଗ ପ୍ରକାଶ କରିଛନ୍ତି ।
-ପିଡବ୍ଲ୍ୟୁ ଆକ୍ଚ ଅନୁସାରେ ଯେଉଁ ପ୍ରକଳ୍ପ ଟେଣ୍ଡର୍ କରି ଦିଆଯିବ, ତାକୁ ଅବଧି ମଧ୍ୟରେ ସାରିବାକୁ ପଡ଼ିବ
-ହେଲେ ଠିକାଦାର କୋଟି କୋଟି ଟଙ୍କା ନେଇ ଛୁ’
-ଅଥଚ କାମ ଅଧପନ୍ତରିଆ ପଡ଼ିଛି, ଲୋକେ ସମସ୍ୟା ଭୋଗୁଛନ୍ତି
ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ କାମ କରୁଥିବା ଠିକାଦାର ସ୍ବଚ୍ଛତା ଦେଖାଉନାହାନ୍ତି । ଏହାର ରିପୋର୍ଟ ପିଏସି କମିଟିରେ ଉପସ୍ଥାପିତ ହୋଇଥିଲା । କାହିଁକି ଏଭଳି ହେଉଛି ବୋଲି ଯୁକ୍ତି ବାଢିଥିଲେ ସଦସ୍ୟ । ତୁରନ୍ତ OPWD ଆକ୍ଟ ଅନୁସାରେ ସେମାନଙ୍କୁ କଳା ତାଲିକାଭୁକ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପାରିସ କରିଛି ପିଏସି କମିଟି । ଯେଉଁ ଠିକାଦାର କାମ କରୁନାହାନ୍ତି ଠକୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସରକାର ସାହସ ଜୁଟାଇପାରୁନାହାନ୍ତି । ବଡ଼ ବଡ଼ ପ୍ରକଳ୍ପରେ ଅଣଓଡ଼ିଆ ଠିକାଦାର ଏବେ ବି କାମ କରୁଛନ୍ତି । ବିଶେଷକରି ପୁରୀ, ରାଉରକେଲା, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଠିକାଦାରଙ୍କୁ କୋଟି କୋଟି ଟଙ୍କାର କାମ ଦିଆଯାଇଛି । କିନ୍ତୁ କାମ ସରୁନି । ଗାଁରେ ଗାଁରେ କାମ ସରୁନଥିବାରୁ ଅସନ୍ତୋଷ ବଢିଲାଣି । ଠିକାଦାର କାମ ଅଧାକରି ଧରାଛୁଆଁ ଦେଉନାହାନ୍ତି । ସରକାର ବି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ।