କନକ ବ୍ୟୁରୋ : ସୁନ୍ଦରଗଡ଼ ରାଜଗାଙ୍ଗପୁର ସହରରେ ତୃତୀୟ ରେଳ ଲାଇନ୍ ନିର୍ମାଣ ପରଠୁ ଟ୍ରାଫିକ ସମସ୍ୟା ବଢ଼ିଯାଇଛି । ପ୍ରତି ୧୦ମିନିଟରେ ପ୍ରାୟ ୩୫ ଦିନ ଧରି ରେଳ ଫାଟକ ବନ୍ଦ ରହୁଛି । ଲୋକମାନେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ସ୍କୁଲ, କଲେଜ, କୋର୍ଟ, ତହସିଲ ଓ ବ୍ଲକକୁ ଯିବା ସମୟରେ ଅପେକ୍ଷା କରିବାକୁ ପଡ଼ୁଛି । ଏହାର ସମାଧାନ ପାଇଁ ସହରର ଓଭରବ୍ରିଜ୍ ନିର୍ମାଣ କରାଯାଉଛି । ୪୩୮ ମିଟର ଲମ୍ବ, ୮୯ ଫୁଟ୍ ଚଉଡ଼ା ଓଭରବ୍ରିଜ୍ ପାଇଁ ରାଜ୍ୟ ସରକାର ୩୪ କୋଟି ୭୬ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି । ମେ’ ୨୦୨୬ ସୁଦ୍ଧା କାମ ସାରିବାକୁ ଠିକାଦାର ଓ ପୂର୍ତ୍ତ ବିଭାଗ ମଧ୍ୟରେ ଚୁକ୍ତି ହୋଇଛି । ହେଲେ କାମର ମନ୍ଥରତାକୁ ନେଇ ସମୟ ଭିତରେ କାମ ସରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି ।
ଓଭରବ୍ରିଜ୍ ପାଇଁ ୪୪ ଜଣ ଲୋକଙ୍କ ଜମି ଅଧିଗହଣ ହୋଇଛି । କିଛି ବ୍ୟକ୍ତିଙ୍କ ଜମି ଉଚ୍ଛେଦ ପାଇଁ ରାଜଗାଙ୍ଗପୁର ବ୍ଲକ ପ୍ରଶାସନ ଆଗ୍ରହ ପ୍ରକାଶ କରୁନାହିଁ । ତେଣୁ କାମରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି । ଏ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ତହସିଲଦାର । ୫ବର୍ଷ ଭିତରେ ରେଳ ଧାରଣା ଉପରେ ଲୁହା ଓଭରବ୍ରିଜର କାମ ସରିଛି । କିନ୍ତୁ ଲୁହା ବ୍ରିଜକୁ ସଂଯୋଗ କରିବାକୁ ଥିବା କଂକ୍ରିଟ୍ କାମ କେବେ ସରିବ ତାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ସ୍ଥାନୀୟ ବାସିନ୍ଦା।
ଅନ୍ୟପଟେ ଏନେଇ କୌଣସି ବି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ରାଜଗାଙ୍ଗପୁର ପୂର୍ତ୍ତ ବିଭାଗ ଅଧିକାରୀ । ରାଜ୍ୟ ସରକାର ଚଳିତ ମାସ ଠିକାଦାରଙ୍କୁ କାର୍ଯ୍ୟ କରିବା ପାଇଁ ଡ଼ିଜାଇନ ପ୍ରଦାନ କରିଛନ୍ତି । ଯାହା ଧିମା କାମର ଅନ୍ୟ ଏକ କାରଣ ବୋଲି କୁହାଯାଉଛି।