Photograph: (kanak news)
କନକ ବ୍ୟୁରୋ: ଧାନ ମଣ୍ଡିରୁ ଧାନ ଉଠୁନଥିବା ବେଳେ ହତାଶ ହେଲେଣି ଚାଷୀକୂଳ। ଏଭଳି ପରିସ୍ଥିତିରେ ସାଂସଦଙ୍କ ଉଦଘାଟନ କାର୍ଯ୍ୟକ୍ରମକୁ ବିରୋଧ କରି ଫଳକ ଭାଙ୍ଗି ପ୍ରତିବାଦ ଜଣାଇଲେ କଂଗ୍ରେସ ନେତା । ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ କଡା ବିରୋଧ ର ସମ୍ମୁଖୀନ ହେବାକୁ ପଡିଛି । ବରିଷ୍ଠ କଂଗ୍ରେସ ନେତା କ୍ଷେମରାଜ ବାଘଙ୍କ ନେତୃତ୍ୱ ରେ କଂଗ୍ରେସ କର୍ମୀ ମାନେ ନିର୍ମିତ ଉଦଘାଟନ ଫଳକକୁ ଭାଙ୍ଗି ବିରୋଧ କରିଥିବା ଦେଖିବାକୁ ମିଳିଛି । ଏନେଇ ଚନ୍ଦାହାଣ୍ଡି ରେ ରାଜନୈତିକ ଉଷ୍ଣତା ପ୍ରକାଶ ପାଇଛି । ସାଂସଦ ଚନ୍ଦାହାଣ୍ଡି ବ୍ଲକର ମୌଳିକ ସମସ୍ୟା ପ୍ରତି ଯେତେଦିନ ପର୍ୟ୍ୟନ୍ତ ବିମୁଖ ରହିବେ ସେତେ ଦିନ ଯାଏ ଜୋର ଦାର ବିରୋଧ କରାଯିବ ବୋଲି କହିଛନ୍ତି କଂଗ୍ରେସ କର୍ମୀ ।
ଏହି ସମସ୍ୟା ସେପଟେ ଯାଜପୁର ଜିଲ୍ଲାରେ ମଧ୍ୟ ଦେଖାଦେଇଛି । ଯାଜପୁର ଜିଲ୍ଲାରେ ଧାନ ମଣ୍ଡିରେ କଟନୀ ଛଟନୀ ଓ ବିଭିନ୍ନ ସମସ୍ୟାକୁ କ୍ଷମତାସୀନ ଦଳ ବିଜେପି ଓ ବିରୋଧୀ ବିଜେଡ଼ି ମୁହାଁମୁହିଁ । ମଣ୍ଡି ଲାଗିଥିଲେ ମଧ୍ୟ ଯାଜପୁର ଜିଲ୍ଲାରେ ଚାଷୀଙ୍କ ଧାନ ଉଠୁନଥିବା ନେଇ ଚାଷୀଙ୍କ ମଧ୍ୟରେ ବୃଦ୍ଧି ପାଇଛି ଅସନ୍ତୋଷ । ଯାହାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିଛନ୍ତି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ଏବଂ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ।
ଆହୁରି ପଢନ୍ତୁ :ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ନିର୍ଦ୍ଦେଶିକାଙ୍କ ଚେତାବନୀ : ପ୍ରଭାବିତ ହେବେ ବିକଶିତ ଦେଶର ଯୁବପିଢ଼ି
ତେବେ ଏହାର ସମାଧାନ ପାଇଁ ଆଜି ବ୍ୟାସନଗର ପୌରପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳଙ୍କ ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଆୟୋଜନ କରାଯାଇଥିଲା । ଏହି ବୈଠକରେ ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ସମେତ ବିଜେପିର ଦୁଇ ବିଧାୟକ ଆକାଶ ଦାସ ନାୟକ ଓ ଅମର ନାୟକ ଏବଂ ବିଜେଡିର ଦୁଇ ବିଧାୟିକା ପ୍ରମିଳା ମଲ୍ଲିକ ଓ ସୁଜାତା ସାହୁଙ୍କ ସହିତ ଅନ୍ୟାନ୍ୟ ଅଧିକାରୀ ଓ ମିଲର ଆଦି ଉପସ୍ଥିତ ଥିଲେ । ତେବେ ବୈଠକରେ ଏବଂ ବୈଠକରୁ ବାହାରି ଏହି ସମସ୍ୟାକୁ ନେଇ ପ୍ରତିକ୍ରିୟା ରଖିଥିଲେ ବିରୋଧୀ ଦଳ ନେତ୍ରୀ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ। ପ୍ରମିଳା କହିଲେ ଏହି ଘଟଣା ସରକାରଙ୍କ ଅକ୍ଷମତା ଓ ଅବହେଳାର ସ୍ପଷ୍ଟ ପ୍ରମାଣ। ଧାନ କିଣା ପ୍ରକ୍ରିୟାରେ ସରକାରୀ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛି । ଅନ୍ୟପଟେ ମନ୍ତ୍ରୀ କହିଛନ୍ତି ସରକାରଙ୍କ ସହ ଆଲୋଚନା କରାଯାଇ ସବୁ ସମସ୍ୟାର ସମାଧାନ କରାଯିବ ।
Follow Us