କନକ ବ୍ୟୁରୋ : ଶିକ୍ଷକଙ୍କ ପାଇଁ ଯୋଗ୍ୟତା ପରୀକ୍ଷା ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ନେଇ ଯେତିକି ପ୍ରତିକ୍ରିୟା ପ୍ରକାଶ ପାଇଛି ସେତିକି ଦ୍ବନ୍ଦ୍ବ ବି ଦେଖାଦେଇଛି । ଶିକ୍ଷା ରାଜ୍ୟ ସରକାରଙ୍କ ବ୍ୟାପାର ହୋଇଥିବାରୁ ଏହାକୁ ସଂପୃକ୍ତ ରାଜ୍ୟଗୁଡିକ କେତେ ମାନିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି । ଚୂଡାନ୍ତ ରାୟ ପାଇଁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ନିକଟକୁ ମାମଲା ସ୍ଥାନାନ୍ତର କରାଯାଇଛି । ତେଣୁ ଉପର ବେଞ୍ଚ କି ରାୟ ଦେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି । 

Advertisment

ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ଓଡ଼ିଶା ମାନିବ କେତେ?
ଅନ୍ୟ ରାଜ୍ୟର ନିଷ୍ପତ୍ତି ଉପରେ ନଜର
ଟିଇଟି ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଛତିଶଗଡ଼ ସରକାର ନୂଆ ନିଷ୍ପତ୍ତି ନେଇଛନ୍ତି । ୨୦୧୧ ମସିହା ପୂର୍ବରୁ ଚାକିରି ପାଇଥିବା ଶିକ୍ଷକଙ୍କ ଚାକିରି ଓ ପଦୋନ୍ନତିରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଲାଗୁ ହେବ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ନୂଆ ପଦୋନ୍ନତି ପାଇଁ ଟିଇଟି ଜରୁରୀ ଥିବା କୁହାଯାଇଛି । ଏଭଳି କ୍ଷେତ୍ରରେ ଓଡିଶା ଓ ଅନ୍ୟ ରାଜ୍ୟ କି ନିଷ୍ପତ୍ତି ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ନିର୍ଦ୍ଦେଶ ଉପରେ ତର୍ଜମା ହେବ ।  ଶିକ୍ଷକଙ୍କ ସ୍ବାର୍ଥ ଦେଖାଯିବ । ଅନ୍ୟ ରାଜ୍ୟ କି ବିଚାର ବିମର୍ଶ କରୁଛନ୍ତି ତାକୁ ବି ନଜରରେ ରଖାଯିବ ।

୨୦୧୧ ମସିହାରୁ ପ୍ରାଥମିକ ଶିକ୍ଷକଙ୍କ ପାଇଁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି । ଏବେ ପଦୋନ୍ନତି ଆଶାରେ ଥିବା ୭୫ ହଜାରରୁ ଅଧିକ ଶିକ୍ଷକ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଚିନ୍ତା ଓ ଦ୍ବନ୍ଦ୍ବରେ ଅଛନ୍ତି । ତେଣୁ ଅପେକ୍ଷା, ରାଜ୍ୟ ସରକାର କି ନିଷ୍ପତ୍ତି ନେବେ ।