The condition of the Braille press is deplorable; Photograph: (KanakNews )
କନକ ବ୍ୟୁରୋ : ଦୃଷ୍ଟିବାଧିତଙ୍କ କଥା ଭୁଲିଗଲେ ସରକାର । ବ୍ରହ୍ମପୁରରେ ଥିବା ରାଜ୍ୟର ଏକ ମାତ୍ର ବ୍ରେଲି ପ୍ରେସର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ମାତ୍ର ୨ଜଣ ଅସ୍ଥାୟୀ କର୍ମଚାରୀରେ ଚାଲିଛି ବ୍ରେଲି ପ୍ରେସ,ସ୍ୱଳ୍ପ ଦରମା ମିଳୁଛି । ବର୍ଷବର୍ଷ ଧରି ସେମାନେ ଅବହେଳିତ ଅବସ୍ଥାରେ ଅଛନ୍ତି । ୨୪ ବର୍ଷ ସରକାରଙ୍କ ଆଖି ତ ପଡ଼ିଲାନି, ଆଶା ନୂଆ ବିଜେପି ସରକାର ବୁଝିବେ ।
ରାଜ୍ୟର ପ୍ରାୟ ୧୦ ହଜାର ଦୃଷ୍ଟିବାଧିତଙ୍କ ପାଇଁ ଆବଶ୍ୟକ ପାଠ୍ୟ ପୁସ୍ତକ, ଗପବହି, ବିଜ୍ଞାନ ପତ୍ରିକା ଓ ଅନ୍ୟ ବହି ବ୍ରହ୍ମପୁରରେ ଥିବା ଏକମାତ୍ର ବ୍ରେଲି ପ୍ରେସରେ ଛପାଯାଏ। ରାଜ୍ୟର ୩୫ଟି ଦୃଷ୍ଟିବାଧିତ ବିଦ୍ୟାଳୟ ଓ ଯୁକ୍ତ ଦୁଇ କଲେଜର ୫ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟ ପୁସ୍ତକ ମଧ୍ୟ ଏହି ପ୍ରେସରେ ଛପା ହୋଇଥାଏ। ହେଲେ ଏତେ ସେବା ଯୋଗାଇ ଦେଇ ଆସୁଥିବା ଏହି ବ୍ରେଲି ପ୍ରେସରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଦୁଇ କର୍ମଚାରୀ ଅସ୍ଥାୟୀ ଭାବେ କାମ ଚଳାଇ ଆସୁଛନ୍ତି। ସ୍ଵଳ୍ପ ଦରମା ସହ ବିଭିନ୍ନ ସୁବିଧାରୁ ଏହି କର୍ମଚାରୀ ବଂଚିତ ରହିଛନ୍ତି ।
୧୯୮୬ ମସିହାରେ ବ୍ରହ୍ମପୁର ଠାରେ ସ୍ଥାପନ ହୋଇଥିଲା ବ୍ରେଲି ପ୍ରେସ।। ପ୍ରତିଷ୍ଠା ଦିନଠାରୁ କମ୍ ଦରମା ଲାଗି ତିଷ୍ଠି ପାରୁନାହାନ୍ତି ନୂଆ କର୍ମଚାରୀ। ସମସ୍ୟା ନେଇ ବାରମ୍ବାର ଅଭିଯୋଗ କରାଯାଇଛି । ହେଲେ ସ୍ଥାୟୀ ନିଯୁକ୍ତ ସହ କୌଣସି ସମାଧାନ କରାଯାଇନି । ପୁଣିଥରେ ଏହି ସମସ୍ୟାର ସମାଧାନ ପାଇଁ ମିଳିଛି ପ୍ରତିଶ୍ରୁତି । ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ରହିଥିବା ରାଜ୍ୟର ଏକ ମାତ୍ର ଏହି ୩୮ବର୍ଷର ବ୍ରେଲି ପ୍ରେସର ଭବିଷ୍ୟତ ପାଇଁ ଉିଚତ୍ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।
Follow Us