କନକ ବ୍ୟୁରୋ : ସ୍ମାର୍ଟସିଟି ରାଉରକେଲା ବସଷ୍ଟାଣ୍ଡର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଯୁଆଡ଼େ ଦେଖିବେ କୁଢ଼କୁଢ଼ ମଇଳା । ବସଷ୍ଟାଣ୍ଡ ସାରା ମଇଳା ପାଣି ଭାସୁଛି । ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ । ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଠାରେ ଥିବା ଶୌଚାଳୟରେ କାହିଁକି ତାଲା ଝୁଲୁଛି? ସେ ପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ । ଯାତ୍ରୀ ଅସୁବିଧା ଭୋଗୁଛନ୍ତି । ଆଉ କିଛି ବିକଳ୍ପ ନ ଥିବାରୁ ବହୁ କଲବଲ ହେଲେ ବି ଯାତ୍ରୀ ଆସୁଛନ୍ତି ।
ପ୍ରଶ୍ନ ଉଠୁଛି, କାହିଁକି ରାଉରକେଲା ଭଳି ଏକ ସ୍ମାର୍ଟସିଟିର ବସଷ୍ଟାଣ୍ଡରେ ଏଭଳି ଅବ୍ୟବସ୍ଥା ନେଇ ପ୍ରଶାସନ ଆଖି ବୁଜି ଦେଇଛି । ରାଉରକେଲା ମହାନଗର ନିଗମ କମିଶନର କହିଛନ୍ତି, ଏକ ନୂଆ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଡିଜାଇନ ଚାଲିଛି । ଏନେଇ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା ସରିଛି । ଖୁବଶୀଘ୍ର ରାଉରକେଲା ବସଷ୍ଟାଣ୍ଡ ନୂଆରୂପ ପାଇବ ବୋଲି ମହାନଗର ନିଗମର କମିଶନର ଆଶୁତୋଷ କୁଲକର୍ଣ୍ଣି କହିଛନ୍ତି । ୧୯୯୦ରେ ତିଆରି ହୋଇଥିଲା ରାଉରକେଲା ବସଷ୍ଟାଣ୍ଡ । ଏହା ଭିତରେ ଅନେକ ବର୍ଷ ବିତି ସାରିଛି । ବସଷ୍ଟାଣ୍ଡରେ କେବେ ସୁବିଧା ପାଇବେ ଯାତ୍ରୀ, ତାହା ଦେଖିବାକୁ ବାକି ରହିଲା।