କନକବ୍ୟୁରୋ :  ରାଜଧାନୀ ଦିଲ୍ଲୀରୁ ସାମ୍ନାକୁ ଆସିଛି ଦୁଃଖଦ ଘଟଣା । ସ୍ତ୍ରୀର ମୃତ୍ୟୁ ପରେ ୪ ଝିଅଙ୍କ ସହ ବାପାଙ୍କ ଆତ୍ମହତ୍ୟା ।  ଦିଲ୍ଲୀର ରିଙ୍ଗପୁରୀ ଅଞ୍ଚଳରେ ଏଭଳି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୁଲିସ ବନ୍ଦ ଘରୁ ସମସ୍ତଙ୍କ ମୃତଦେହ ଜବତ କରିଛି । ମୃତକ ଜଣକ ବିହାର ଅଞ୍ଚଳର ହୀରାଲାଲ ବୋଲି ପୁଲିସ ଜାଣିବାକୁ ପାଇଛି ।

Advertisment

ଦିଲ୍ଲୀରେ କାର୍ପେଣ୍ଟର ଭାବେ କାମ କରି ପରିବାର ଚଳାଉଥିଲେ ହୀରାଲାଲ । ପାରିବାରର ଆର୍ଥିକ ସ୍ଥିତି ଭଲ ନଥିବା ବେଳେ ନିକଟରେ ତାଙ୍କ ସ୍ତ୍ରୀଙ୍କ କର୍କଟ ରୋଗରେ ମୃତ୍ୟୁ ହୋଇଛି । ୪ ଜଣ ଝିଅ ମଧ୍ୟ ଦିବ୍ୟାଙ୍ଗ ହୋଇଥିବା ଜଣାପଡ଼ିଛି । ତେବେ ସ୍ତ୍ରୀଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିବା ସହ ପରିବାର ଚଳାଇବାରେ ଅକ୍ଷମ ହେବାରୁ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି । 

ଶୁକ୍ରବାର ଘରୁ ଦୁର୍ଗନ୍ଧ ଆସିବାରୁ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘର କବାଟ ଭାଙ୍ଗି ହୀରାଲାଲ ଓ ୪ ଝିଅଙ୍କ ମୃତଦେହ ଜବତ କରିଛି । ମୃତଦେହ ନିକଟରୁ ଏକ ସୁଇସାଇଡ୍‌ ନୋଟ ମଧ୍ୟ ମିଳିଛି । ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ତଦନ୍ତ ଚଳାଇଛି ପୁଲିସ । ତେବେ ଗତ ୨୪ ତାରିଖରେ ଶେଷ ଥର ପାଇଁ ହୀରାଲାଲଙ୍କୁ ଘର ଭିତରକୁ ଯିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

ଏହାପରେ ଆଉ କବାଟ ଖୋଲିନାହିଁ । ତେଣୁ ୨୪ ତାରିଖରେ ହିଁ ସମସ୍ତଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତେବେ ସମସ୍ତେ ଆତ୍ମହତ୍ୟା କରିଛନ୍ତି ନା ହୀରାଲାଲ ୪ ଝିଅଙ୍କୁ ବିଷ ଦେଇ ନିଜେ ଆତ୍ମହତ୍ୟା କରିଛି ସେନେଇ ତଦନ୍ତ କରୁଛି ପୁଲିସ ।