କନକ ବ୍ୟୁରୋ : ଚାଷୀ ଉପରେ ଦାଉ ସାଧୁଛି କମ୍ପାନି । ଝାରସୁଗୁଡ଼ାରେ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନିର ବର୍ଜ୍ୟ ପାହାଡ଼ ଧସି କ୍ଷେତରେ ମାଡ଼ିଯାଇଛି । ପାଉଁଶ ମିଶା ବର୍ଜ୍ୟଗୁଣ୍ଡ ପାଣିସହ ମିଶି ଚାଷୀଙ୍କ ଧାନ କ୍ଷେତ ଓ ପ୍ରାକୃତିକ ନାଳରେ ମିଶିଥିବା ଅଭିଯୋଗ ହୋଇଛି । ଏପରିକି କମ୍ପାନିରୁ ବାହାରୁଥିବା ଦୂଷିତ ପାଣି ନାଳ ଦେଇ ନଦୀ ମିଶିବାରୁ ନଦୀ ଜଳ ଦୂଷିତ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । 

Advertisment

ଝାରସୁଗୁଡ଼ା ବ୍ଲକ ମରାକୁଟା ପଂଚାୟତରେ ବିଲ ଭିତରେ ପଶି ଧାନ ଗଛ ଖୋଜୁଛି ଚାଷୀ । ପାଉଁଶ ମିଶା ବର୍ଜ୍ୟଗୁଣ୍ଡରେ ପୋତି ହୋଇଯାଇଛି ଫସଲ । ବର୍ଷା ଯୋଗୁ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନି ପରିସରରେ ଥିବା ବର୍ଜ୍ୟ ପାହାଡ଼ ଧସି ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଆବଶ୍ୟକତାଠୁ ଅଧିକ ବର୍ଜ୍ୟ ହେବାରୁ କମ୍ପାନିର ଅସ୍ଥାୟୀ ପାଚେରି ଭାଙ୍ଗି ବର୍ଜ୍ୟ ଆଖପାଖ ନାଳ, ନଦୀରେ ମିଶୁଥିବା ଅଭିଯୋଗ ହୋଇଛି । 

ଏପରିକି କମ୍ପାନି ପଂଚାୟତରେ ଥିବା କିଛି ଜଙ୍ଗଲ ଜମି ଓ ଗୋଚର ଜମିକୁ ଦଖଲ କରି ବ୍ୟବହାର କରୁଛି । ଏହାସହ ସରକାରୀ ଜମିକୁ ରାସ୍ତା କରୁଛି । ସବୁଠାରୁ ସାଂଘାତିକ, ଫସଲ ନଷ୍ଟ। କମ୍ପାନି ବର୍ଜ୍ୟ ଚାଷଜମିକୁ ପ୍ରଦୂଷିତ କରୁଥିବାରୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । କମ୍ପାନି ଯୋଗୁ ଭୋଗୁଥିବା ସମସ୍ୟା ବାବଦରେ ବାରମ୍ବାର ଜଣାଇବା ପରେ ବି ପ୍ରଶାସନ କିଛି ଶୁଣୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଚାଷ ଜମି ନଷ୍ଟ କରୁଥିବା କମ୍ପାନି ପାଇଁ ପ୍ରଶାସନର ଏତେ ଦରଦ କାହିଁକି ? ବୋଲି ପ୍ରଶ୍ନ ଉଠିଛି ।