କନକ ବ୍ୟୁରୋ : ଝାରସୁଗୁଡ଼ାରେ ତାପଜ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁରୁ ଲୋକଙ୍କୁ ଖାଲି କରି ଦିଆଗଲା । ବିସ୍ଥାପିତମାନେ ଏବେ ନବନିର୍ମିତ କଲୋନିରେ ରହୁଛନ୍ତି । ହେଲେ ୫ ମାସ ପରେ ବି କଲୋନିରେ ପାନୀୟଜଳ, ଯାତୟାତ ଆଦି ମୌଳିକ ସୁବିଧା ନାହିଁ । ଲୋକ ଅସୁବିଧାରେ ରହୁଛନ୍ତି ।  

Advertisment

ଏନ୍‌ଏଲ୍‌ସି କମ୍ପାନି ଦ୍ବାରା ତାପଜ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା ପାଇଁ ଝାରସୁଗୁଡ଼ା ବ୍ଲକର ହିରମା, ତରେଇକେଲା, କୁମ୍ଭାରୀ, ଗରିଆଡ଼ିହି, କନ୍ଦାଗଡ଼ ଭଳି ଗାଁର ଜମିକୁ କମ୍ପାନି ଅଧିଗ୍ରହଣ କରିଛି । ଏବେ ସୁଦ୍ଧା ୨ଟି ଗାଁର ୩୫୦ରୁ ଅଧିକ ପରିବାର ହିରମାଠାରେ ନବନିର୍ମିତ ଆର୍‌ ଏଣ୍ଡ ଆର୍‌ କଲୋନିକୁ ସ୍ଥାନାନ୍ତର ହୋଇଛନ୍ତି । ହେଲେ ୫ ମାସ ପରେ ବି ନିୟମାନୁସାରେ ବିସ୍ଥାପିତଙ୍କ ପାଇଁ ମୌଳିକ ସୁବିଧା କରାଯାଇନାହିଁ । ଟ୍ୟାଙ୍କର ଯୋଗେ ଦିନକୁ ଥରେ ପାଣି ଦିଆଯାଉଛି, କିନ୍ତୁ ତାହା ପାନୀୟ ଅନୁପଯୋଗୀ । ଶ୍ମଶାନର ବି ଉଚିତ ବ୍ୟବସ୍ଥା ନାହିଁ । ରାସ୍ତା ନିର୍ମାଣ ସରିନି କି ସବୁ ଘରକୁ ଡ୍ରେନ୍ ସଂଯୋଗ ହୋଇନାହିଁ । ଘରକାନ୍ଥ ଫାଟିଯାଇଥିବା ଲୋକ ଅଭିଯୋଗ କରିଛନ୍ତି।  

କଲୋନିରେ ହସ୍ପିଟାଲ, ପୋଷ୍ଟ ଅଫିସ୍‌, ବ୍ୟାଙ୍କ ନାହିଁ । ଖାଲି ସେତିକି ନୁହଁ, ଏଯାଏଁ କଲୋନିରେ ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ଲୋକଙ୍କ ଘରେ କେନ୍ଦ୍ର ଚାଲିଛି । ସେପଟେ ଆର୍‌ ଏଣ୍ଡ ଆର୍‌ କଲୋନି ଦେଇ କମ୍ପାନି ତା' ରେଲୱେ ସାଇଡିଂ ନିର୍ମାଣ କରୁଛି । ଅର୍ଥାତ୍ ଲୋକ ଘରୁ ବାହାରିଲେ ରେଳ ଲାଇନ ପାର୍ ହେବାକୁ ପଡ଼ିବ । ଏସବୁ ସମସ୍ୟାର ସମାଧାନ ପାଇଁ କମ୍ପାନିକୁ ନୋଟିସ ଜାରି କରାଯାଇଥିବା ଝାରସୁଗୁଡ଼ା ଜିଲ୍ଲାପାଳ କହିଛନ୍ତି ।  ଏପଟେ ବିସ୍ଥାପିତ ଅସୁବିଧାରେ ଅଛନ୍ତି, ସେପଟେ ବିସ୍ଥାପିତଙ୍କ ଥଇଥାନ ଫଟୋ ଦେଖାଇ ବାଃ ବାଃ ନେଉଛନ୍ତି କମ୍ପାନି ଓ ପ୍ରଶାସନ ।