କନକ ବ୍ୟୁରୋ : ପାକିସ୍ତାନର ଆର୍ଥିକ ପରିସ୍ଥିତି ଭୟଙ୍କର । ବିଦେଶରେ ଋଣଭାର ଏତେ ବଢ଼ିଯାଇଛି ଯେ ସେ ସବୁକୁ ସୁଝିବା ପାଇଁ ଅର୍ଥ ଅଭାବ ପଡୁଛି । ସେଥିପାଇଁ IMF ସର୍ତ୍ତବଳୀ ଲାଗୁକରିଛି । ଫଳସ୍ୱରୁପ ପାକିସ୍ତାନର ଅଟୋମୋଟିଭ୍ ଇଣ୍ଡଷ୍ଟ୍ରି ମଧ୍ୟ ଏହି ଗମ୍ଭୀର ସମସ୍ୟାର ସମ୍ମୁଖୀନ୍ନ ହେଉଛି । IMFର ଚାପ ପାକିସ୍ତାନ ସରକାରକୁ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ କରିଛି ଯାହାକି ପାକ୍ ଅଟୋଶିଳ୍ପକୁ ଏକ ଚ୍ୟାଲେଞ୍ଜିଂ ପରିସ୍ଥିତିରେ ପକାଇଛି ।
ଅର୍ଥନୈତିକ ସମନ୍ୱୟ କମିଟି (ECC) ବର୍ତ୍ତମାନ ପୁରୁଣା କାର ଆମଦାନୀକୁ ଅନୁମୋଦନ କରିଛି । ସରକାର ଏହାକୁ ସଂସ୍କାର ଏବଂ ସ୍ୱାଧୀନତା ଦିଗରେ ଏକ ପ୍ରମୁଖ ପଦକ୍ଷେପ ବୋଲି କହୁଛନ୍ତି, କିନ୍ତୁ କାର ନିର୍ମାତା ଏବଂ ଅଟୋ ପାର୍ଟସ ନିର୍ମାତାମାନେ କହିଛନ୍ତି ଯେ ଏହି ନିଷ୍ପତ୍ତି ସେମାନଙ୍କର ମୂଳଦୁଆକୁ ଦୁର୍ବଳ କରିବ । ଏହି ସମୟରେ, ପାକିସ୍ତାନ ଅଟୋମୋଟିଭ୍ ମାନୁଫାକଚର୍ସ ଆସୋସିଏସନ୍ ଚେତାବନୀ ଦେଇଛି ଯେ ଦେଶର ପଛୁଆ ଏବଂ ଶୋଷଣମୂଳକ ନୀତି ବିଦେଶୀ ନିବେଶକଙ୍କ ବିଶ୍ୱାସକୁ ହ୍ରାସ କରୁଛି । ସେଥିପାଇଁ କିଛି ପ୍ରମୁଖ କମ୍ପାନି ବଜାର ସହ ଦେଶ ଛାଡିବାକୁ ବାଧ୍ୟ ହୋଇପାରେ ।
ପାକ୍ ଅର୍ଥମନ୍ତ୍ରୀ ମହମ୍ମଦ ଔରଙ୍ଗଜେବଙ୍କ ଅଧ୍ୟକ୍ଷତାରେ ନ୍ୟୁୟର୍କରେ ଭର୍ଚୁଆଲ୍ ECC ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ପ୍ରଥମ ପର୍ଯ୍ୟାୟରେ ୫ ବର୍ଷ ପର୍ଯ୍ୟନ୍ତ ପୁରୁଣା ଗାଡ଼ି ଆସନ୍ତା ୨୦୨୬ ମସିହା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଆମଦାନୀ କରାଯାଇପାରିବ । ଏଥିରେ ୪୦ ପ୍ରତିଶତ ରେଗୁଲେଟୋରୀ ଡ୍ୟୁଟି ଲାଗୁ ହେବ, ଯାହା ପ୍ରତିବର୍ଷ ୧୦-୧୦ ପଏଣ୍ଟ ହ୍ରାସ ପାଇବ ଏବଂ ୨୦୨୯-୩୦ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଯିବ । ପରେ ପୁରୁଣା ଗାଡ଼ି ଉପରେ ବୟସର କୌଣସି ପ୍ରତିବନ୍ଧକ ରହିବ ନାହିଁ । କିନ୍ତୁ ଆରବ ନ୍ୟୁଜ୍ରେ ପ୍ରକାଶିତ ଏକ ରୋପର୍ଟ ଅନୁଯାୟୀ ଟୟୋଟା , ହୋଣ୍ଡା ,ସୁଜୁକି , ହୁଣ୍ଡାଇ ଏବଂ କିଆ ଭଳି ପ୍ରମୁଖ ବ୍ରାଣ୍ଡଗୁଡ଼ିକ କହିଛନ୍ତି ଯେ ଏହି ନିଷ୍ପତ୍ତି ସେମାନଙ୍କ ମ୍ୟାନୁଫ୍ୟାକ୍ଚରିଙ୍ଗ୍କୁ ନଷ୍ଟ କରିଦେବ ।
ପାକିସ୍ତାନ ଅଟୋମୋବାଇଲ୍ ପାର୍ଟସ୍ ଆଣ୍ଡ୍ ଆସେସୋରିଜ୍ ମ୍ୟାନୁଫ୍ୟାକଚର୍ସ ମଧ୍ୟ ଚିନ୍ତା ପ୍ରକାଶ କରିଛି । ସଂଗଠନର ଉପାଧ୍ୟକ୍ଷ ଶେହରୟାର କାଦିର ଗଣମାଧ୍ୟମକୁ କହିଛନ୍ତି ଯେ ଏହା ଦ୍ଵାରା ଷ୍ଟିଲ୍, ପ୍ଲାଷ୍ଟିକ୍, ରବର, ତମ୍ବା ଏବଂ ଆଲୁମିନିୟମ୍ ଭଳି ପାର୍ଟସ୍ ଯୋଗାଣ କରୁଥିବା 1,200 ସ୍ଥାନୀୟ କମ୍ପାନି ବନ୍ଦ ହୋଇପାରେ । ସେ ଆକଳନ କରିଛନ୍ତି ଯେ 1.8 ନିୟୁତରୁ ଅଧିକ ଲୋକଙ୍କ ଜୀବିକା ପ୍ରଭାବିତ ହେବ।
ଏହି ନିଷ୍ପତ୍ତି ପାକିସ୍ତାନରେ IMF ମିସନର ଆଗମନ ପୂର୍ବରୁ ଆସିଛି । ଏହାର 7 ବିଲିୟନ ଡଲାର ଋଣ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ, IMF ପାକିସ୍ତାନକୁ ବାଣିଜ୍ୟ ଖୋଲିବାକୁ ଏବଂ ବ୍ୟବହୃତ ଯାନବାହନ ଉପରୁ ପ୍ରତିବନ୍ଧକ ଉଠାଇବାକୁ ସର୍ତ୍ତ ରଖିଥିଲା । ବିଶ୍ଳେଷକମାନେ ମତରେ ବ୍ୟବହୃତ ଯାନବାହନ ଆମଦାନୀ କରିବା ଦ୍ୱାରା ପାକିସ୍ତାନର ପୂର୍ବରୁ ଦୁର୍ବଳ ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଆହୁରି ଚାପ ପଡ଼ିବ । ଫଳରେ ପାକିସ୍ତାନ ଘୋ ଆର୍ଥିକ ସମସ୍ୟା ଦେଇ ଗତି କରିବ ।