କନକ ବ୍ୟୁରୋ : ସ୍ୱାସ୍ଥ୍ୟସେବା ନାଁରେ ବେପାର । ଏଭଳି ସାଂଘାତିକ ଅଭିଯୋଗ ଆସିଛି ବ୍ରହ୍ନପୁରରୁ । ଦକ୍ଷିଣ ଓଡ଼ିଶାର ବଡ଼ ମେଡିକାଲର ଏମକେସିଜି ଚାରିପଟେ ଛତୁ ଫୁଟିଲା ପରି ଖୋଲିଛି ଘରୋଇ କ୍ଲିନିକ୍ । ଲୋକଙ୍କ ଅଭିଯୋଗ, ଏଭଳି କ୍ଲିନିକ ଖୋଲି ସ୍ୱାସ୍ଥ୍ୟସେବାକୁ ବିକ୍ରି କରାଯାଉଛି । ରୋଗୀ ଶୋଷଣର ଶିକାର ହେଉଛନ୍ତି ।  

ବ୍ରହ୍ମପୁର ଏମକେସିଜି ହସ୍ପିଟାଲ ଚାରିପଟେ ମାଳମାଳ କ୍ଲିନିକ୍ । ସେହିପରି ସହରର ସେଲଟାକ୍ସ ଛକଠାରୁ କୋର୍ଟପେଟା ଦେଇ ଗେଟ୍ ବଜାର ଛକ ରାସ୍ତାର ଉଭୟ ପାର୍ଶ୍ୱରେ ଭର୍ତ୍ତି ହୋଇଛି କ୍ଲିନିକ । ଏମକେଜିସିକୁ ଆସୁଥିବା ରୋଗୀଙ୍କୁ ଦଲାଲ ମାଧ୍ୟମରେ ଘରୋଇ କ୍ଲିନିକରେ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି । କିଛିଦିନ ପୂର୍ବରୁ ଜଣେ ଅଷ୍ଟମ ଫେଲ୍ ନକଲି ଡାକ୍ତର ୫ବର୍ଷ ଧରି ଏକ କ୍ଲିନିକ ଚଳାଇଥିବା ଅଭିଯୋଗ ଆସିଥିଲା । ଯାଞ୍ଚ ପରେ ହୋଇଥିଲା କାର୍ଯ୍ୟାନୁଷ୍ଠାନ । ବ୍ରହ୍ମପୁର ସହରବାସୀ ଏଭଳି କ୍ଲିନିକ୍ ଆଶଙ୍କାରେ ଚିନ୍ତାରେ ପଡ଼ିଛନ୍ତି । 

Advertisment

ସରକାରୀ ତଥ୍ୟ କହୁଛି, ଗଞ୍ଜାମ ଜିଲ୍ଲ୍ଲାରେ ପଞ୍ଜୀକୃତ ଘରୋଇ କ୍ଲିନିକ ସଂଖ୍ୟା ୧୨୦ । କେବଳ ବ୍ରହ୍ମପୁରରେ ପାଖାପାଖି ୧୦୦ଟି କ୍ଲିନିକ ରହିଛି। ସେଥିରୁ ଅଧିକାଂଶଙ୍କର ଲାଇସେନ୍ସ ନଥିବା କିମ୍ୱା ପଞ୍ଜୀକରଣ ରିନ୍ୟୁ ହୋଇ ନଥିବା ଏବଂ ଅଧିକାଂଶ କ୍ଲିନିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି । କର୍ତ୍ତୃପକ୍ଷ କହିଛନ୍ତି, ଅଭିଯୋଗ ଆସିଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ । କର୍ତ୍ତୃପକ୍ଷ କ୍ଲିନିକ୍ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନନେଲେ ରୋଗୀ ସମସ୍ୟାରେ ପଡ଼ିବା ଆଶଙ୍କା ରହିଛି ।