କନକ ବ୍ୟୁରୋ: ସରକାର ବିକଶିତ ଓଡ଼ିଶା ନାଁରେ ଯେଉଁ ଡିଣ୍ଡିମ ପିଟୁଛନ୍ତି ବାସ୍ତବରେ ତାହା କାର୍ଯ୍ୟକାରୀ ହେଉଛି ତାହା ଏକ ବଡ଼ ପ୍ରଶ୍ନ। ପୂର୍ବ ସରକାରଙ୍କ ୫-ଟି ଯୋଜନା ପାଇଁ ବିଦ୍ୟାଳୟରେ ପିଲା ବସିବା ପାଇଁ ନାହିଁ ଶ୍ରେଣୀଗୃହ। ଏପରିକି ଶିକ୍ଷକ ବସିବାକୁ ବି ଜାଗା ନାହିଁ। ଆଉ ଏନେଇ ପ୍ରଶାସନ ଅବଗତ ଥିବା ପରେ ବି କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ଆସିଛି।
ସ୍କୁଲ ବାରଣ୍ଡା ପାଲଟିଛି ଶ୍ରେଣୀଗୃହ। ବାରଣ୍ଡାରେ ବେଞ୍ଚ, ଡେସ୍କ ପଡ଼ିଛି, ପିଲା ପାଠ ପଢୁଛନ୍ତି । କିଛି ଛାତ୍ରଛାତ୍ରୀ ତଳେ ବସି ମଧ୍ୟ ପାଠ ପଢୁଛନ୍ତି। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ନିମପଲ୍ଲୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ। ଉପରେ ଚକଚକ ଭିତରେ ଅବ୍ୟବସ୍ଥା । ସ୍ମାର୍ଟ କ୍ଲାସ ନାଁରେ ଅଛି ୨ଟି ଶ୍ରେଣୀଗୃହ। ଗୋଟିଏରେ ଅଷ୍ଟମ ଓ ନବମ ଶ୍ରେଣୀ ପିଲା ବସୁଛନ୍ତି। ଆଉ ଗୋଟିଏ ଶ୍ରେଣୀଗୃହରେ ବସୁଛନ୍ତି ଦଶମ ଶ୍ରେଣୀ ପିଲା। ବାକି ପ୍ରଥମରୁ ସପ୍ତମ ପିଲାଙ୍କ ପାଠ ପଢ଼ା ବର୍ଷସାରା ବାରଣ୍ଡାରେ ଚାଲିଛି ।
ବିଦ୍ୟାଳୟର ବଡ଼ କୋଠା ଘର ଅଛି । ଫାଇଭ-ଟି ଲାଗୁ ପରେ ଶ୍ରେଣୀଗୃହ ବାରଣ୍ଡାକୁ ସ୍ଥାନାନ୍ତର ହୋଇଯାଇଛି । ୫-ଟି ପୂର୍ବରୁ ବିଦ୍ୟାଳୟରେ ୪ଟି ଶ୍ରେଣୀଗୃହ ଥିଲା। ହେଲେ ୫-ଟି ପରେ ୨ଟି ଶ୍ରେଣୀଗୃହକୁ ଇ-ପାଠାଗର ଓ ଲାବରୋଟରି କରିଦିଆଯାଇଛି। ଲାବରୋଟରି ଗୋଦାମ ଗୃହ ପାଲଟିଛି ତ’ ଇ- ପାଠାଗାରରେ ଖତ ଖାଉଛି କମ୍ପ୍ୟୁଟର। ବିଦ୍ୟାଳୟର ୧୦ ଜଣ ଶିକ୍ଷକଙ୍କ ବସିବା ପାଇଁ ସାଧାରଣ ପ୍ରକୋଷ୍ଠଟିଏ ବି ନାହିଁ। ପ୍ରଧାନଶିକ୍ଷକ ଗୋଦାମ ଘରେ ବସୁଛନ୍ତି।
ଫାଇଭ-ଟି ଯୋଜନା ଶିକ୍ଷାର ଗୁଣାତ୍ମକ ମାନ ଓ ଭିତ୍ତିଭୂମିର ବିକାଶ ପାଇଁ ପୂର୍ବତନ ସରକାର ସମୟରେ କାର୍ଯ୍ୟକାରୀ ହୋଇଥିଲା । କିନ୍ତୁ ନିମପଲ୍ଲୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଫାଇଭ-ଟି ସୁବିଧା ବଦଳରେ ସମସ୍ୟା ସୃଷ୍ଟି କରିଛି ।