କନକ ବ୍ୟୁରୋ: ରାତି ପାହିଲେ ବାହୁଡା, ଏହା ପୂର୍ବରୁ ଆଜି ଶ୍ରୀକ୍ଷେତ୍ର ପୁରୀ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୁରୀ ସହରକୁ ପୌରପାଳିକାରୁ ମହାନଗର ନିଗମର ରୂପ ଦେବା ସହ ଆଧ୍ୟାତ୍ମିକ ରାଜଧାନୀର କାୟାକଳ୍ପ ବଦଳାଇବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ପୁରୀ ସହରବାସୀ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । 

Advertisment

ବାହୁଡ଼ା ଯାତ୍ରା ପୂର୍ବରୁ ପୁରୀ ପାଇଁ ୪ଟି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶାର ଆଧ୍ୟାତ୍ମିକ ରାଜଧାନୀର ବିକାଶ ସହ ପୁରୀକୁ ବିଶ୍ବ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ପାଇଁ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ସରକାର । ପୌରପାଳିକାରୁ ମହାନଗର ନିଗମ ହେବାକୁ ଯାଉଛି ପୁରୀ, ଅର୍ଥାତ ରାଜ୍ୟରେ ମହାନଗର ନିଗମ ସଂଖ୍ୟା ୫ରୁ ୬କୁ ବୃଦ୍ଧି ହେବ । ପୁରୀ ସହର ଏବଂ ଆଖପାଖ ଅବସ୍ଥିତ ଗ୍ରାମ ପଞ୍ଚାୟତକୁ ସାମିଲ କରି ପୁରୀ ମହାନଗର ନିଗମ ଗଠିତ ହେବ । ଯାହାଦ୍ଵାରା ପୁରୀ ସଦର ଏବଂ ବ୍ରହ୍ମଗିରି ବ୍ଲକର ପ୍ରାୟ ୭ରୁ ୮ଗୋଟି ଗ୍ରାମ ପଞ୍ଚାୟତକୁ ସାମିଲ କରାଯିବ, ଯାହା ଫଳରେ ଏହି ପଞ୍ଚାୟତବାସୀ ସହର ପରି ସୁବିଧା ପାଇ ପାରିବେ । ଖୁବଶୀଘ୍ର ଏନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି  କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ବଦଳିଯିବ ପୁରୀର କାୟାକଳ୍ପ । ମହାପ୍ରଭୁଙ୍କ ଦର୍ଶନ ସହ ବିସ୍ତୀର୍ଣ୍ଣ ବେଳାଭୂମିର ଅନୁଭବ ଓ କିଛି ନିଆରା ସ୍ମୃତି ସାଉଁଟିବେ ଏଠାକୁ ଆସୁଥିବା ପର୍ଯ୍ୟଟକ । ଯାହାର ନକ୍ସା ଆଙ୍କିଛନ୍ତି ସରକାର । ଶ୍ରୀ ଜଗନ୍ନାଥଙ୍କ ନାଁରେ ବିଶ୍ବସ୍ତରୀୟ ସଂଗ୍ରହାଳୟ ନିର୍ମାଣ କରାଯିବ । ନୀଳମାଧବଙ୍କଠାରୁ ଶ୍ରୀମନ୍ଦିର ନିର୍ମାଣର ଇତିହାସ, ବିଗ୍ରହ ପ୍ରତିଷ୍ଠା, କାଞ୍ଚି ବିଜୟ, ଯାନିଯାତ୍ରା, ମନ୍ଦିର ରୀତିନୀତି ଇତ୍ୟାଦିକୁ ଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରାଯିବ । ଏହା ପରିସରରେ ଏକ ପୁସ୍ତକାଗାର, ଜଗନ୍ନାଥ ସଂସ୍କୃତି ଗବେଷଣା କେନ୍ଦ୍ର ସହ ୩୦୦ ଆସନ ବିଶିଷ୍ଟ ପ୍ରେକ୍ଷାଳୟର ନିର୍ମାଣ କରାଯିବ । ଅଡିଟୋରିୟମରେ ପ୍ରତି ଦିନ ଲାଇଟ ଓ ସାଉଣ୍ଡ ଶୋ ଅନୁଷ୍ଠିତ ହେବ । ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ସାଂସଦ ସମ୍ବିତ ପାତ୍ର । 

ସରକାରଙ୍କ ଏହି ନିଷ୍ପତ୍ତିରେ ପୁରୀ ସହରର ବିକାଶ ଶିଖର ଛୁଇଁବ । ଫଳରେ ଦେଶ ବିଦେଶରୁ ପର୍ଯ୍ୟଟକ ସଂଖ୍ୟାରେ ବୃଦ୍ଧି ହେବା ସହ ପର୍ଯ୍ୟଟନ ଶିଳ୍ପ ମଧ୍ୟ ସମୃଦ୍ଧ ହେବ ।