କନକ ବ୍ୟୁରୋ: ପ୍ରତ୍ୟେକ ଦିନ ଚୋରି ରାହାଜାନିର ଖବର ଆସେ ଖୋର୍ଦ୍ଧାରୁ । ନିୟନ୍ତ୍ରଣ ପାଇଁ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି ଲଗାଯାଇଛି । ଅପରାଧୀଙ୍କ ଉପରେ ନଜର ରଖିବ ଏହି ସିସିଟିଭି । ହେଲେ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଏ ସିସିଟିଭି ଗୁଡ଼ିକ ସଚଳ ନୁହେଁ ସବୁ ଅଚଳ । ସେପଟେ ସହରର ସୌନ୍ଦର୍ଯ୍ୟକରଣ ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ । 

Advertisment

ଖୋର୍ଦ୍ଧା ସହରକୁ ଅପରାଧ ମୁକ୍ତ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛି ପ୍ରଶାସନ। ସହରର ଛକ ବଜାରର ସିସିଟିଭି ଲଗାଇଛି ପୁଲିସ । ସିସିଟିଭିରେ ଥିବା ଫଟୋ-ଭିଡ଼ିଓ ଦେଖି ଅପରାଧୀଙ୍କୁ ଧରିବା ସହଜ ହେଉଥିଲା । ହତ୍ୟା, ଚୋରି, ଡକାୟତି ଘଟଣାରେ ତଦନ୍ତରେ ସହାୟକ ହେଉଥିଲା । ହେଲେ ଏଇ କିଛି ବର୍ଷ ହେବ ଅକାମୀ ହୋଇଯାଇଛି ସହରର ଛାତି ଉପରେ ଲାଗିଥିବା ସିସିଟିଭି ।

ସହର ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ବଢି ଚାଲିଛି ଅପରାଧ । ଲୁଟେରାଙ୍କ ଚରାଭୂଇଁ ପାଲଟିଛି ଖୋର୍ଦ୍ଧା ସହର । ଦିନ ଦ୍ବିପ୍ରହରରେ ଚାଲିଛି ବାଇକ ଲୁଟ । ଗତ ମାସରେ ଖୋର୍ଦ୍ଧା ଆଦର୍ଶ ଥାନା ଅଞ୍ଚଳରେ ୫୦ରୁ ଅଧିକ ବାଇକ୍‌ ଚୋରି ଘଟଣା ସାମ୍ନାକୁ ଆସିଥିଲା । ଆଦର୍ଶ ଥାନା ପୋଲିସ ଏକ ଲୁଟେରା ଗ୍ୟାଙ୍ଗର ୪ଜଣଙ୍କୁ ଗିରଫ କରିଥିଲା । ତେବେ ଏକାଧିକ ଚୋରି ଅଭିଯୋଗ ସତ୍ତ୍ବେ ପ୍ରମାଣ ଅଭାବରୁ ପୋଲିସ ନୀରବ ।