କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ଉମରକୋଟରେ ୨ ବର୍ଷ ହେଲାଣି ଖରାପ ହୋଇପଡ଼ିଛି ସମସ୍ତ ସିସି କ୍ୟାମେରା । ଫଳରେ ସହରରେ ଅପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ପୁଲିସ ଅପରାଧିଙ୍କ ବିଷୟରେ କୌଣସି ସୁରାଗ ପାଇପାରୁନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସାଧାରଣ ଜନତା । ନରବଙ୍ଗପୁର ଜିଲ୍ଲାର ପ୍ରମୁଖ ସହର ଉମରକୋଟ । ଛତିଶଗଡ଼ ସୀମାକୁ ଲାଗିରହିଛି । ଅନେକ ଆପରାଧିକ ବ୍ୟକ୍ତିତ୍ବ ଖୁଲମଖୁଲା ଦୁଇ ରାଜ୍ୟକୁ ଚଳାଚଳ କରିଥାନ୍ତି । ସହରର ସୁରକ୍ଷା ପାଇଁ ସମ୍ବେଦନଶୀଳ ସ୍ଥାନରେ ସିସି କ୍ୟାମେରା ଲାଗିଛି । ପୌର ପ୍ରଶାସନ ପକ୍ଷରୁ ପ୍ରାୟ ୭୦ ଲକ୍ଷ ଟଙ୍କାର ହାଇ-ରିଜୋଲ୍ୟୁସନ୍ ସିସି କ୍ୟାମେରା ଲାଗିଥିଲା । ଏହାକୁ ମନିଟର କରିବା ପାଇଁ ଉମରକୋଟ ଥାନାରେ ଲାଗିଥିଲା ଡିସ୍ପ୍ଲେ ସିଷ୍ଟମ । ଏବେ ସବୁ ସିସି କ୍ୟାମେରା ତଳମୁହାଁ ହୋଇ ନଷ୍ଟ ହୋଇ ଗଲାଣି । ଅଧାରୁ ଅଧିକ କ୍ୟାମେରା ଚୋରି ହୋଇଯାଇଥିବା ଅନୁମାନ କରାଯାଉଛି । କେବଳ ୫ଟି କ୍ୟାମେରାରେ ସହରର କିଛି କିଛି ସ୍ଥାନ ଦେଖି ହେଉଛି ।
ସିସି କ୍ୟାମେରା ଖରାପ ହେବାରୁ ସହରରେ ଆପରାଧିକା କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । କିନ୍ତୁ ଏନେଇ ଜିଲ୍ଲା ପ୍ରଶାସନର ନିରବତା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନ୍ୟପଟେ ୭ଦିନ ମଧ୍ୟରେ ଜିଲ୍ଲାରେ ନୂଆ କ୍ୟାମେରା ଲଗାଯିବ ବୋଲି କହିଛନ୍ତି ପୌର ପରିଷଦ ନିର୍ବାହୀ ଅଧିକାରୀ । କେବେ ପ୍ରଶାସନର ନିଦ ଭାଙ୍ଗିବ ? ବିଦ୍ୟୁତ ଖୁଣ୍ଟରେ ତଳ ମୁହାଁ ହୋଇଥିବା କ୍ୟାମେରା ଉପର ମୁହାଁ ହେବ ? ଅପରାଧୀଙ୍କ ଉପରେ ନଜର ରଖିବ ତ ? ଏବେ ଏମିତି ପ୍ରଶ୍ନ କରିବା ଆରମ୍ଭ କଲେଣି ନବରଙ୍ଗପୁର ଜିଲ୍ଲାବାସୀ ।