କନକ ବ୍ୟୁରୋ : କୋମାରେ ପୁରୀ ପୌରପରିଷଦ! । ସମସ୍ୟାରେ ସନ୍ତୁଳି ହେଉଛନ୍ତି ସହରବାସୀ । ୨୦୧୪ରେ ପୁରୀ ପୌର ପରିଷଦର କାର୍ଯ୍ୟକାଳ ସରିବା ପରେ ନୂଆ ୱାର୍ଡ ଗଠନ ନେଇ ବିବାଦ ଯୋଗୁ ଆଉ ନିର୍ବାଚନ ହୋଇନାହିଁ । ୨୦୧୮ଠାରୁ ପୁରୀ ଜିଲ୍ଲାପାଳ ପୌରପାଳିକାର ମୁଖ୍ୟ ପ୍ରଶାସକ ଦାୟିତ୍ବରେ ଅଛନ୍ତି । ୱାର୍ଡ ସବୁର ପ୍ରତିନିଧି ନିର୍ବାଚିତ ହୋଇ ନଥିବାରୁ କାମ ଠିକ୍ ହେଉ ନଥିବା ଅଭିଯୋଗ ହୋଇଛି । କାହିଁକି ପୌର ନିର୍ବାଚନ ହେଉନି ବୋଲି ପୁରୀ ସହରବାସୀ ପ୍ରଶ୍ନ ଉଠାଇଛନ୍ତି । 

Advertisment

ବିଶ୍ୱ ପ୍ରସିଦ୍ଧ ପୁରୀକୁ ଦୈନିକ ପ୍ରାୟ ୧ଲକ୍ଷ ପର୍ଯ୍ୟଟକ ଆସନ୍ତି । ସ୍ଥାନୀୟ ଲୋକଙ୍କ ସହ ପର୍ଯ୍ୟଟକଙ୍କ ସୁବିଧା ଅସୁବିଧା ବୁଝିବା ଦାୟିତ୍ବ ପୌରପାଳିକା ଉପରେ ନ୍ୟସ୍ତ ଥିଲା । କିନ୍ତୁ ଏବେ ତାହା ହୋଇପାରୁନାହିଁ । ପୁରୀ ପୌରପାଳିକାର ୱାର୍ଡ ସଂଖ୍ୟା ୩୨ରୁ ୩୮କୁ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି । କିନ୍ତୁ ଉଦ୍ଦେଶ୍ୟମୂଳକ ଭାବେ ତାହା ନକରି ଏଯାଏଁ ନିର୍ବାଚନ କରାଯାଇନାହିଁ ।  ନୂଆ ପୌର ପରିଷଦ ଗଠନ ନହେବା କାରଣରୁ ପୁରୀ ସହରର ବିକାଶରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡ଼ିଯାଇଛି । ୧୯୮୧ ଏପ୍ରିଲ ୧ରେ ପୁରୀ ପୌରପାଳିକା ଗଠନ ପରେ ନିୟମିତ ନିର୍ବାଚନ ହୋଇ ଆସୁଥିଲା । କିନ୍ତୁ ଏବେ ଆଇନ ଅଦାଲତର ଦ୍ୱାହି ଦେଇ ରାଜ୍ୟ ସରକାର ପୌର ନିର୍ବାଚନ ନକରିବା ଯୋଗୁ ପୁରୀ ପୌରାଞ୍ଚଳବାସୀ ପୌରସେବାରୁ ବଞ୍ଚିତ ହେଉଛନ୍ତି ।