କନକ ବ୍ୟୁରୋ : ପିଲାଙ୍କ ପୋଷଣ ସହ ପାଠପଢ଼ା ପ୍ରତି ଆଗ୍ରହ ବଢାଇବାକୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି । ରାଜ୍ୟର ଅଧିକାଂଶ ସ୍କୁଲ ନିଜେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରି ପିଲାଙ୍କୁ ଦେଉଛନ୍ତି, କିନ୍ତୁ ଭୁବନେଶ୍ୱର ଓ କଟକ ସହରରେ ଏହାର ଦାୟିତ୍ୱ ନେଇଛି ଅକ୍ଷୟ ପାତ୍ର ଫାଉଣ୍ଡେସନ । ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ପାଳନ କରାଯାଉଥିବାରୁ ମଧ୍ୟାହ୍ନ ଭୋଜନ ଯୋଗାଇ ପାରିବ ନାହିଁ ବୋଲି ପୂର୍ବରୁ ଜଣାଇଥିଲା ସଂସ୍ଥା । ଫଳରେ ଆଜି ମଧ୍ୟାହ୍ନ ଭୋଜନ ପାଇବାରୁ ବଞ୍ଚିତ ହୋଇଛନ୍ତି ଶତାଧିକ ଛାତ୍ରଛାତ୍ରୀ । ଭୁବନେଶ୍ୱର ସ୍ଥିତ ବଡ଼ଗଡ଼ ଉଚ୍ଚ ବିଦ୍ୟାଳୟରେ ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ନଖାଇ ଘରକୁ ଫେରିଥିଲେ । 

Advertisment

ଅନ୍ୟପକ୍ଷରେ ଭୁବନେଶ୍ୱର ଖାରବେଳନଗର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ କିନ୍ତୁ ସ୍କୁଲ କର୍ତ୍ତୃପକ୍ଷ ନିଜ ଉଦ୍ୟମରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିଥିଲେ । ତଥାପି ବନ୍ଦ ପାଳନ ଯୋଗୁଁ ଅଳ୍ପ ସଂଖ୍ୟକ ପିଲା ସ୍କୁଲକୁ ଆସିଥିବା ଦେଖିବାକୁ ମିଳିଥିଲା । ସରକାର କିମ୍ବା ବ୍ୟବସ୍ଥା ଉପରେ ଚାପ ପକାଇବାକୁ କଂଗ୍ରେସ ଦଳ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ସଫଳ ହୋଇଛି, କିନ୍ତୁ ଛୋଟ ପିଲାମାନେ ମଧ୍ୟାହ୍ନ ଭୋଜନ ନଖାଇ ସ୍କୁଲରୁ ଫେରିବା ପାଇଁ କିଏ ଦାୟୀ ରହିବେ? ଆନ୍ଦୋଳନକାରୀ ନା ସ୍କୁଲ କର୍ତ୍ତୃପକ୍ଷ?