କନକ ବ୍ୟୁରୋ : ପୁଣି ଆକାଶମାର୍ଗରୁ ବାତ୍ୟାଞ୍ଚଳ ଦେଖିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦ୍ରାପଡ଼ାର ହେନ୍ତାଳବଣ, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାରେ କେତେ କ୍ଷୟକ୍ଷତି ହୋଇଛି, ତାର ସ୍ଥିତି ଅନୁଧ୍ୟାନ କରିବେ । ବାତ୍ୟା ‘ଦାନା’ରେ କେତେ କଚ୍ଚା ଘର ଭାଙ୍ଗିଛି ଏବଂ ଏହାପରେ ହୋଇଥିବା ବନ୍ୟାରେ କେତେ ଚାଷ ଜମି ନଷ୍ଟ ହୋଇଛି, କେତେ ଚାଷୀ ପ୍ରଭାବିତ ହୋଇଛନ୍ତି ତାର ଚିତ୍ର ତନ ତନ କରି ଦେଖିବେ ମୁଖ୍ୟମନ୍ତ୍ରୀ । ଦିନ ୧୨ଟାରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଭୁବନେଶ୍ୱରରୁ ଉଡ଼ାଣ ଭରିବେ । ତାଙ୍କ ସହିତ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଏସଆରସି ଦେଓରଞ୍ଜନ ସିଂ, ପୋଲିସ ଡିଜି ମଧ୍ୟ ରହିବେ। ଗତକାଲି ମଧ୍ୟ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କରିଥିଲେ । ପାରାଦୀପ, ମହାକାଳପଡା, ରାଜନଗର, ରାଜକନିକା ଓ ଚାନ୍ଦବାଲିର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଅନୁଧ୍ୟାନ କରିଥିଲେ । ନଭେମ୍ବର ୨ ତାରିଖ ସୁଦ୍ଧା କ୍ଷୟକ୍ଷତିର ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।