କନକ ବ୍ୟୁରୋ : ପଶ୍ଚିମବଙ୍ଗ ଦୁର୍ଗାପୁରରେ ଦୁଷ୍କର୍ମର ଶିକାର ଓଡ଼ିଆ ଛାତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଫୋନ୍ ଯୋଗେ ପୀଡ଼ିତା, ତାଙ୍କ ମାଆ ଏବଂ ସେଠାରେ ଉପସ୍ଥିତ ମହିଳା କମିଶନ୍ ଅଧ୍ୟକ୍ଷାଙ୍କ ସହିତ ଫୋନରେ କଥା ହୋଇଛନ୍ତି । ପୀଡ଼ିତାଙ୍କ ସୁସ୍ଥତା କାମନା କରିବା ସହିତ, ଭୁବନେଶ୍ବରରେ କିଭଳି ତାଙ୍କ ଶିକ୍ଷାର ସୁବନ୍ଦୋବସ୍ତ ହୋଇପାରିବ ଏବଂ ଦୋଷୀକୁ ତୁରନ୍ତ ଦଣ୍ଡ ପ୍ରଦାନ ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ।
ଓଡ଼ିଶା ସରକାର ସମ୍ପୂର୍ଣ୍ଣ ଭାବେ ପୀଡ଼ିତାଙ୍କ ସହିତ ଥିବା କହିଛନ୍ତି ମୋହନ ମାଝୀ । ପୀଡ଼ିତାଙ୍କ ମା’ଙ୍କ ସହିତ ମଧ୍ୟ ମୁଖ୍ୟମନ୍ତ୍ରୀ କଥା ହୋଇ ଏ କ୍ଷେତ୍ରରେ ଅପରାଧୀମାନେ ଯେପରି ଶୀଘ୍ର ଏବଂ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇବେ, ସେଥିପାଇଁ ଓଡ଼ିଶା ସରକାର ତାଙ୍କର ଉଦ୍ୟମ ଜାରି ରଖିଥିବା କହିଥିଲେ । ସଂପୃକ୍ତ ପୀଡ଼ିତା ଏବେ ଚିକିତ୍ସାଧୀନ ଅଛନ୍ତି । ପୂର୍ବରୁ ପୀଡ଼ିତାଙ୍କ ବାପାଙ୍କ ସହିତ ମଧ୍ୟ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।