କନକ ବ୍ୟୁରୋ: ଗୁରୁଦିବସ ଅବସରରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟର ପ୍ରଥମ ଶିକ୍ଷାମନ୍ତ୍ରୀ ଗୋଦାବରୀଶ ମିଶ୍ରଙ୍କ ନାମରେ ପ୍ରତି ପଞ୍ଚାୟତରେ ଖୋଲାଯିବ ମଡେଲ ସ୍କୁଲ। ଯେଉଁଠି ପିଲାଙ୍କୁ ଯୋଗାଇ ଦିଆଯିବ ସର୍ବୋତ୍କୃଷ୍ଟ ଶିକ୍ଷା । ପୂର୍ବ ସରକାର କରିଥିବା ୫-ଟି ସ୍କୁଲରେ ଶିକ୍ଷାବ୍ୟସ୍ଥା ଅତି ଦୟନୀୟ ଥିବା କହି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ।

  • ସ୍ମାର୍ଟସ୍କୁଲରେ ଝୁଣ୍ଟୁଛନ୍ତି ପିଲା
  • ହାଇସ୍କୁଲ ପିଲାଙ୍କୁ ଆସୁନି ହରଣ ଗୁଣନ
  • ୫-ଟି ସ୍କୁଲର ଧଜିଆ ଉଡାଇଲେ ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ଗୁରୁଦିବସ ସମାରୋହରେ ଓଡ଼ିଶାର ୫-ଟି ସ୍କୁଲର ବିକଳ ଚିତ୍ରକୁ ସାମ୍ନାକୁ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବ ସରକାରରେ ୫-ଟି ସ୍କୁଲରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ପ୍ରାଥମିକ ସ୍ତରର ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡି ପଡିଛି । ହାଇସ୍କୁଲକୁ ଆସୁଥିବା ପିଲାଙ୍କୁ ସାଧାରଣ ଗଣିତ ବି ଆସୁନଥିଲା । ବିରୋଧୀ ଦଳ ମୁଖ୍ୟ ସଚେତକ ଥିବା ବେଳେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ମଡେଲ ସ୍କୁଲ ପାଇଁ ବାରମ୍ବାରେ ଅନୁରୋଧ କରିଥିଲେ ମଧ୍ୟ ଶୁଣିନଥିଲେ ପୂର୍ବ ସରକାର । ଆଉ ଏବେ ସୌଭାଗ୍ୟବଶତଃ ମୁଖ୍ୟମନ୍ତ୍ରୀ ଚୌକିରେ ମୋହନ । ତେଣୁ ପ୍ରାଥମିକ ଶିକ୍ଷାର ଉନ୍ନତି ପାଇଁ ଏବେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

  • ପ୍ରତି ପଞ୍ଚାୟତରେ ଖୋଲିବ ମଡ଼େଲ ସ୍କୁଲ
  • ପ୍ରଥମ ଶିକ୍ଷାମନ୍ତ୍ରୀ ଗୋଦାବରୀଶ ମିଶ୍ରଙ୍କ ନାଁରେ ଖୋଲିବ ମଡେଲ ସ୍କୁଲ
  • ପଞ୍ଚାୟତର ମେଧାବୀ ପିଲାଙ୍କୁ ମିଳିବ ପଢ଼ିବାର ସୁଯୋଗ
  • ହାଇସ୍କୁଲ ଯିବା ପୂର୍ବରୁ ପ୍ରାଥମିକ ଶିକ୍ଷାରେ ନିପୁଣ ହେବେ ଛାତ୍ରଛାତ୍ରୀ

ଓଡ଼ିଶାରେ ସରକାର ବଦଳିଛି, ଶିକ୍ଷା ବ୍ୟବସ୍ଥାର ରଙ୍ଗ ବଦଳିବ, ଢଙ୍ଗ ବି ବଦଳିବ ! କିଛି ଏମିତି କହି ପୂର୍ବ ସରକାରଙ୍କ ଅପାରଗତାକୁ ପଦାରେ ପକାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ୫-ଟି ସ୍କୁଲରେ ପୂର୍ବ ସରକାର ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥାର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ପ୍ରତି ଗାଁ ଗାଁରୁ ଆସିଛି । ୫-ଟି ସ୍କୁଲ ନାଁରେ ଉନ୍ନତ ଶିକ୍ଷା ଭିତ୍ତିଭୂମି ବଦଳରେ ରଙ୍ଗ ବୋଳାରେ ସୀମିତ ଥିଲା ପୂର୍ବ ସରକାର। ଏସବୁ ଭିତରେ ଗୁରୁଦିବସରେ ଗୁରୁଙ୍କ ନିଯୁକ୍ତି ଘୋଷଣା କରିଛନ୍ତି ମୋହନ ସରକାର।

ସରକାରୀ ଶିକ୍ଷା ବ୍ୟବସ୍ଥା ଉପରେ ଯେତେବେଳେ ଅଭିଭାବକଙ୍କର ଭରସା ତୁଟୁଛି। ସେତେବେଳେ ମୋହନ ସରକାର ମଡେଲ ସ୍କୁଲର ପରିକଳ୍ପନା ଆଣିଛନ୍ତି। ଏହା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ସରକାରୀ ସ୍କୁଲ ଆଡକୁ କେତେ ଆକର୍ଷିତ କରୁଛି ତାହା ଦେଖିବାକୁ ବାକି ରହିଲା।