କନକବ୍ୟୁରୋ: କୋରାପୁଟ ଓ ମାଲକାନଗିରି ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବିଭାଗୀୟ ସଚିବ ଉପସ୍ଥିତି ସମଗ୍ର ଜିଲ୍ଲାରେ ବର୍ଷା ପରର ସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି ମୋହନ ମାଝୀ। କେଉଁ ନଦୀରେ ଜଳସ୍ତର ବଢ଼ିଛି । କେଉଁ କେଉଁ ଅଂଚଳ କେତେ ପ୍ରଭାବିତ ହୋଇଛି। କେଉଁଠି ଘର ଭାଙ୍ଗିଛି, କେତେ ଗଛ ଉପୁଡ଼ିଛି । ସେ ସବୁର ତଥ୍ୟ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ରାଜ୍ୟର ଲଗାଣ ବର୍ଷା ଓ ବନ୍ୟାର ସମୀକ୍ଷା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ।
ରାଜୀବ ଭବନ ସ୍ଥିତ ଏସଆରସି କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି ମନ୍ତ୍ରୀ। ଏସଆରସି ଦେଓରଞ୍ଜନ କୁମାର ସିଂ, ଅତିରିକ୍ତ ଡିଜି ସଞ୍ଜୟ କୁମାର ଓ ବରିଷ୍ଠ ଅଧିକାରୀଙ୍କ ସମେତ ବନ୍ୟା ସ୍ଥିତି ନେଇ ଆଲୋଚନା କରିଛନ୍ତି। ସମୀକ୍ଷା ପରେ ମନ୍ତ୍ରୀ କହିଛନ୍ତି, ୩୦ ଜିଲ୍ଲାରେ ବର୍ଷା ହୋଇଛି। ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । କୋରାପୁଟ ଜିଲ୍ଲାରେ ମଧ୍ୟ ବର୍ଷାର ପ୍ରଭାବ ରହିଛି। ସମସ୍ତ ଜିଲ୍ଲାପାଳଙ୍କୁ ଆଗୁଆ ସତର୍କ କରାଯାଇଥିଲା।
୬ଟି ଓଡ୍ରାଫ ଓ ୫ ଅଗ୍ନିଶମ ଟିମ ମାଲକାନଗିରି ଜିଲ୍ଲାରେ ନିୟୋଜିତ ହୋଇଥିଲେ। ବର୍ଷା ସ୍ୱତେ କାହାର ମୃତ୍ୟୁ ହୋଇନାହିଁ । ୮୦ଟି ଉଦ୍ଧାର ବୋଟ ନିୟୋଜିତ ହୋଇଥିଲା। କେନ୍ଦ୍ର ସରକାରଙ୍କ ଗୃହ ବିଭାଗର ସଚିବ ସହିତ ରାଜ୍ୟ ଅତିରିକ୍ତ ଶାସନ ସଚିବ କଥା ହୋଇଥିଲେ। ମାଲକାନଗିରି ଜିଲ୍ଲାରେ ୧୭୦୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି।
ସମସ୍ତ ରିଲିଫ ସେଣ୍ଟରେ ସେମାନେ ରହୁଛନ୍ତି। ଜଳ ସମ୍ପୂର୍ଣ୍ଣ ଛାଡିବା ଯାଏଁ ସେମାନେ ରହିବେ। ଦୁଇ ଜଣ ବରିଷ୍ଠ ଅଧିକାରୀ ଅଧିକାରୀ ସେଠାରେ ଅଛନ୍ତି। ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଜିଲ୍ଲା ଓ ବ୍ଲକ ପ୍ରଶାସନ ସହିତ ରାଜ୍ୟ ସରକାର ସମନ୍ୱୟ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଘଟଣା ଉପରେ ନଜର ରଖିଛନ୍ତି। ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ଭୁସ୍କଳନ ଯୋଗୁଁ ଜଣେ ଆହତ ହୋଇଛନ୍ତି। ବନ୍ୟା ଓ ବର୍ଷା ଯୋଗୁଁ ଘର ଭାଙ୍ଗିଛି ଫସଲ ନଷ୍ଟ ହୋଇଛି । ସମୀକ୍ଷା ପରେ ରାଜ୍ୟ ସରକାର କ୍ଷତି ପୂରଣ ଯୋଗାଇ ଦେବେ ବୋଲି ମନ୍ତ୍ରୀ କହିଛନ୍ତି ।
Follow Us