କନକ ବ୍ୟୁରୋ : ଅପରେସନ ସିନ୍ଦୂର ପରେ ଦେଶର ବୀର ସୈନିକଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଜୟ ହିନ୍ଦ ସଭାରେ ଯୋଗଦେବାକୁ ଏଆଇସିସିର ଦୁଇ ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳ ଓ ରଣଦୀପ ସୂର୍ଯ୍ୟୱାଲା ବାଙ୍ଗାଲୁରୁ ଆସିଥିଲେ । ଏହି ଦୁଇ ବରିଷ୍ଠ ନେତାଙ୍କ ସହ ଆଲୋଚନା ସମୟରେ ବର୍ଷ ଶେଷ ସୁଦ୍ଧା ରାଜ୍ୟ ନେତୃତ୍ବ ପରିବର୍ତ୍ତନ ପାଇଁ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ଦାବି ଦୋହରାଇଛନ୍ତି । ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସିଦ୍ଧରମୈୟା ଓ ଡି.କେ ଶିବକୁମାରଙ୍କ ମଧ୍ୟରେ ଅଢେଇ ବର୍ଷ ଲେଖାଏଁ ଶାସନ ଭାର ସମ୍ଭାଳିବା ପାଇଁ ନିଷ୍ପତ୍ତି ହୋଇଥିଲା ।

Advertisment

କର୍ଣ୍ଣାଟକ କଂଗ୍ରେସରେ ବଢୁଛି ଗୋଷ୍ଠୀକନ୍ଦଳ
ଏନେଇ କର୍ଣ୍ଣାଟକ କଂଗ୍ରେସରେ ଏବେ ଗୋଷ୍ଠୀ ବିବାଦ ତୀବ୍ର ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଗୋଷ୍ଠୀ ଶାସନ କ୍ଷମତା ଭାଗ କରାଯିବ ନାହିଁ ବୋଲି ଦୃଢୋକ୍ତି ଦେଖାଇଛନ୍ତି । ମାତ୍ର ଉପମୁଖ୍ୟମନ୍ତ୍ରୀ ପଦ ସହ ରାଜ୍ୟ କଂଗ୍ରେସ ସଭାପତି ରହିଥିବା ଡି.କେ ଶିବକୁମାରଙ୍କ ସମର୍ଥକମାନେ ଶାସନ ମୁଖ୍ୟ ପରିବର୍ତ୍ତନ ନେଇ ହାଇକମାଣ୍ଡଙ୍କୁ ମନେଇବାକୁ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁନାହାଁନ୍ତି । 

ଅନ୍ୟପକ୍ଷରେ ଦୁଇ ପ୍ରଭାବଶାଳୀ ବ୍ୟକ୍ତି ସିଦ୍ଧରମୈୟା ଓ ଡି.କେ ଶିବକୁମାରଙ୍କ ଲଢେଇରୁ ତୃତୀୟ ବ୍ୟକ୍ତି ଲାଭ ପାଇବା ଆଶାରେ ରହିଥିଲେ ଅନ୍ୟତମ ବରିଷ୍ଠ ମନ୍ତ୍ରୀ ଜି.ପରମେଶ୍ବର । ଜଣେ ଦଳିତ ଓ ପୁରୁଣା କଂଗ୍ରେସ କର୍ମୀ ହିସାବରେ ସେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ନିଜକୁ ହକ୍‌ଦାର ବୋଲି ପ୍ରତିପାଦିତ କରୁଥିଲେ । ମାତ୍ର ସୁନା ଚୋରାଚାଲାଣ ମାମଲାରେ ଅଭିଯୁକ୍ତ ଅଭିନେତ୍ରୀ ରାମ୍ୟା ରାଓଙ୍କ ସହ ଟଙ୍କା ନେଣଦେଣ ଅଭିଯୋଗ ଆଧାରରେ ପରମେଶ୍ବରଙ୍କ ଶିକ୍ଷାନୁଷ୍ଠାନରେ ଇଡି ପକ୍ଷରୁ ଚଢ଼ଉ କରାଯାଇଛି । ତେଣୁ ତାଙ୍କ ମୁଖ୍ୟମନ୍ତ୍ରୀ ହେବାର ଆଶା ଆଶାରେ ରହିଯାଇଛି । ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ନେତୃତ୍ବ ପରିବର୍ତ୍ତ ସମ୍ପର୍କରେ ଦଳୀୟ ହାଇକମାଣ୍ଡ କେଉଁ ନିଷ୍ପତ୍ତି ଗ୍ରହଣ କରୁଛନ୍ତି ଦେଖିବାକୁ ବାକି ।