କନକ ବ୍ୟୁରୋ : ଅଡୁଆରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ। ୨୦୧୫ ମସିହାରେ ‘ନୋଟ୍ ଫର ଭୋଟ୍’ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡି ତାଙ୍କୁ ସମନ ଜାରି କରିଛି। ଅକ୍ଟୋବର ୧୬ କିମ୍ବା ତା ପୂର୍ବରୁ ତାଙ୍କୁ କୋର୍ଟରେ ହାଜର ହେବାକୁ ସମନରେ କୁହାଯାଇଛି । ୨୦୧୫ ରେ ଯେତେବେଳେ କେସିଆରଙ୍କ ସରକାର ଥିଲା, ସେତେବେଳେ ଟିଡିପି ବିଧାୟକ ରେବନ୍ତ ରେଡ୍ଡୀ କ୍ୟାମେରାରେ ଜଣେ ଜଣାଶୁଣା ବିଧାୟକଙ୍କୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରୁଥିବା ସମୟରେ ଧରାପଡିଥିଲେ । ରେବନ୍ତ ରେଡ୍ଡୀ ଏମଏଲସି ନିର୍ବାଚନରେ ଭୋଟ୍ ବଦଳରେ ବିଧାୟକ ଏଲଭିସ୍ ଷ୍ଟିଫେନସନଙ୍କୁ ଟଙ୍କା ପ୍ରଦାନ କରିଥିଲେ । ପରେ ରେବନ୍ତ ରେଡ୍ଡୀଙ୍କୁ ତେଲେଙ୍ଗାନା ପୋଲିସ ଗିରଫ କରିଥିଲା । ବିଆରଏସର କାର୍ୟ୍ୟକାରୀ ସଭାପତି କେ.ଟି.ଆର ମଧ୍ୟ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ଉପରେ ଦୁର୍ନୀତି ଅଭିଯୋଗ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ କେ.ଟି.ଆର କହିଛନ୍ତି ଯେ ଅମୃତ ୨.୦ ଯୋଜନା ଅନ୍ତର୍ଗତ ନକଲି ଟେଣ୍ଡର ଆବଣ୍ଟନକୁ କେନ୍ଦ୍ର କରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ୮୮୮୮ କୋଟି ଟଙ୍କାର ଦୁର୍ନୀତି କରିଛନ୍ତି ।  ୨୦୧୫ ର ନୋଟ୍ ଫର୍ ଭୋଟ୍ ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ରେବନ୍ତ ରେଡ୍ଡୀଙ୍କୁ କହିଥିଲେ ଯେ, ସେ ଏହି ମାମଲାର ପ୍ରକ୍ରିୟାରେ ଅଭିଯୋଗକାରୀ ପକ୍ଷ ଉପରେ କୌଣସି ପ୍ରକାରେ ହସ୍ତକ୍ଷେପ କରନ୍ତୁ ନାହିଁ।