କନକ ବ୍ୟୁରୋ: ସାଧାରଣ ଲୋକଙ୍କ ଦୁଃଖ ଶୁଣିବା ପାଇଁ ଖୋଲିଥିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ଅଭିଯୋଗ ଜଣାଇବା ପାଇଁ ପହଞ୍ଚିଥିଲେ ଶହ ଶହ ଆବେଦନକାରୀ । ଭିନ୍ନକ୍ଷମ ଅଭିଯୋଗକାରୀଙ୍କୁ ଭେଟି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ନା ମୁଣ୍ଡ ଗୁଞ୍ଜିବାକୁ ଅଛି ଘର, ନା ଦିଓଳି ଖାଇବାକୁ ମିଳୁଛି ଦାନା। ବୟସ ୮୦ ଟପିଲାଣି। ବୟସର ଅପରାହ୍ନରେ ସେ ଖୋଜିଛନ୍ତି ଟିକେ ଶାନ୍ତି । ସ୍ୱାମୀ କରିଥିବା ଘରକୁ ଫେରି ପାରୁନାହାନ୍ତି ରଣପୁରର କେତକୀ। କାରଣ ଘରକୁ ଅକ୍ତିଆର କରିନେଇଛି ସାନ ପୁଅ। ପୁଅ ବୋହୂର ନିର୍ୟାତନା ସହିନପାରି ଝିଅ ଘରକୁ ଚାଲିଆସିଛନ୍ତି ସତ କିନ୍ତୁ ନିଜ ଘରକୁ ଫେରିବା ପାଇଁ କରୁଛନ୍ତି ନିବେଦନ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ନିଜ ଦୁଃଖ ନେଇ ପହଞ୍ଚିଥିଲେ କେତକୀ ।
ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ନିଜର ଦୁଃଖ ଜଣାଇବାକୁ ଆସିଥିବା ଏହି ଭିଡ ଭିତରେ ଥିଲେ ବାଲେଶ୍ୱରର ଶମ୍ଭୁନାଥ ଦଳେଇ । ଦେହ ଥରୁଥାଏ, ଆଉ ହାତ ଯୋଡି ଆର୍ଥିକ ସହାୟତା ମାଗୁଥାନ୍ତି । ସାଥିରେ ଥିଲେ ପତ୍ନୀ ଓ ପୁଅ । ୫ ବର୍ଷ ପୂର୍ବରୁ ସବୁକିଛି ଠିକଠାକ ଥିଲା। ସ୍କୁଲ ପିଲାଙ୍କୁ ଟ୍ୟୁସନ ପଢାଉଥିଲେ ଶମ୍ଭୁନାଥ । ସେତିକିରେ ଘର ଖର୍ଚ୍ଚ ବାହାରିଯାଉଥିଲା । କିନ୍ତୁ ଶମ୍ଭୁନାଥଙ୍କୁ ବ୍ରେନ କ୍ୟାନ୍ସର ହେବା ପରେ ସବୁକିଛି ବଦଳିଗଲା । ଚିକିତ୍ସାରେ ସରିଗଲାଣି ସବୁ ସମ୍ପତ୍ତି । ମାସକୁ ଔଷଧ ଖର୍ଚ୍ଚ ବାବଦକୁ ଦରକାର ୧୦ ହଜାର ଟଙ୍କା । କିନ୍ତୁ ସେତକ ବି ଶମ୍ଭୁନାଥଙ୍କ ପକ୍ଷରେ ସମ୍ଭବ ହେଉନାହିଁ। ପରିବାର ଚଳାଇବା ସହ ସ୍ୱାମୀର ଔଷଧ ଖର୍ଚ୍ଚ ପାଇଁ ଘର ଘର ବୁଲି ପାଉଟି କାମ କରୁଛନ୍ତି ପତ୍ନୀ । ଆର୍ଥିକ ସହାୟତା ପାଇଁ ଏବେ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି ଶମ୍ଭୁନାଥ ।
ହ୍ୱିଲ ଚେୟାରରେ ଆସୁଥିବା ଏହି ଯୁବକ ଜଣକ ସରକାରୀ ସହାୟତା ନୁହଁ ବରଂ ନିଜର ହକ ନେବାକୁ ଆସିଛନ୍ତି । ଦୁଇ ବର୍ଷ ତଳେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟରେ ନିଯୁକ୍ତି ପାଇଥିଲେ ସଞ୍ଜୟ କୁମାର ସାହୁ। ଜଗତସିଂହପୁର ଜିଲ୍ଲାର ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟରେ ନିଯୁକ୍ତି ପତ୍ର ନେଇକି ବି ଯାଇଥିଲେ। ହେଲେ ସଞ୍ଜୟଙ୍କ ପାଇଁ କୌଣସି ଚାକିରି ନାହିଁ ବୋଲି କହିଥିଲେ ସରକାରୀ ବାବୁ। ଭିନ୍ନକ୍ଷମ ହୋଇଥିବାରୁ କିଭଳି କାମ କରିବ ବୋଲି କହି ଫେରାଇ ଦେଇଥିଲେ। ପରେ ବିଭାଗୀୟ ନିର୍ଦ୍ଦେଶକଙ୍କ ପାଖକୁ ବି ଯାଇଥିଲେ କିନ୍ତୁ ସମାଧାନ ପରିବର୍ତ୍ତେ କୋର୍ଟର ଦ୍ୱାରସ୍ଥ ହେବାକୁ ପରାମର୍ଶ ଦେଇଥିବା ଅଭିଯୋଗ କରିଛନ୍ତି ସଞ୍ଜୟ ସାହୁ।
ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ନିଜର ସମସ୍ୟା ନେଇ ଆସିଥିଲେ ଏଭଳି ଅନେକ ଲୋକ। ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଭିନ୍ନକ୍ଷମ ଲୋକଙ୍କୁ ଭେଟି ସେମାନଙ୍କର ସମସ୍ୟାର ସମାଧାନ ପାଇଁ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କୁ କହିଥିଲେ। କୌଣସି ବ୍ୟକ୍ତିଙ୍କ ସହ ଅନ୍ୟାୟ ହୋଇପାରିବ ନାହିଁ ବୋଲି ସୂଚାଇ ଦେଇଥିଲେ।