କନକ ବ୍ୟୁରୋ : ଯୁଦ୍ଧ ବିରାମ ପରେ ଦେଶ ସେବା ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ। ସାଧାରଣ ଲୋକଙ୍କ ଜନଜୀବନର ସୁରକ୍ଷା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବେସାମରିକ ସୁରକ୍ଷା ସଙ୍ଗଠନରେ ସ୍ୱେଚ୍ଛାସେବୀ ଭାବେ ଯୋଗ ଦେବାପାଇଁ ରାଜ୍ୟବାସୀଙ୍କୁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଇକ ସ୍ୱେଚ୍ଛାସେବୀମାନେ ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କୁ ଆବେଦନ କରିପାରିବେ। ଜିଲ୍ଲାପାଳ ହେଉଛନ୍ତି ଜିଲ୍ଲା ବେସାମରିକ ସୁରକ୍ଷାର ନିୟନ୍ତ୍ରକ । ଏହି ସ୍ୱେଚ୍ଛାସେବୀ ମାନଙ୍କୁ ପ୍ରଶିକ୍ଷିତ କରାଯିବ । ଆବଶ୍ୟକ ହେଲେ, ସେବା ଓ ଜାତୀୟତାର ମନୋଭାବ ରଖି ସେମାନେ ଜନସାଧାରଣଙ୍କୁ ସେବା ଯୋଗାଇଦେବେ ଏହି ସ୍ବେଛାସେବୀ । ରାଜ୍ୟର ୧୨ଟି ସ୍ଥାନରେ ବେସାମରିକ ସୁରକ୍ଷା ସଙ୍ଗଠନ କାର୍ଯ୍ୟ କରୁଛି । ଆବଶ୍ୟକତା ଅନୁଯାୟୀ ଅନ୍ୟ ସ୍ଥାନମାନଙ୍କରେ ନୂଆ ସଙ୍ଗଠନ ଗଢିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସେହିଭଳି ଦେଶ ସୁରକ୍ଷା ପାଇଁ ଆଗକୁ ଆସିବେ ଛାତ୍ରଛାତ୍ରୀ । ଶତ୍ରୁଙ୍କ ସହ ମୁକାବିଲା ପାଇଁ ଦିଆଯିବ ସ୍ବତନ୍ତ୍ର ପ୍ରଶିକ୍ଷଣ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯିବ। ସାମରିକ, ଅର୍ଦ୍ଧସାମରିକ, ପୋଲିସ ସେବାରେ ନିୟୋଜନ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଯିବ । ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶସେବା ପାଇଁ ଆଗ୍ରହ ଅଛି, ଏବେ ଏହାକୁ ନେଇ ସୁଯୋଗ ସୃଷ୍ଟି କରାଯିବ। ନୂଆ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନରେ ଏନେଇ ସ୍ବତନ୍ତ୍ର କ୍ଲଜ ଥିବା ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି । ସେପଟେ ପୂରା ଦେଶରେ ପାଠ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମିଲିଟାରୀ ଟ୍ରେନିଂ ଦିଆଯାଉ । ଏପରି ହେଲେ କୌଣସି ବି ଶତ୍ରୁ ଦେଶ ଆମକୁ ଆଖି ଉଠାଇ ଚାହିଁବାକୁ ସାହାସ କରିବେନି ବୋଲି କହିଛନ୍ତି ବିଜେଡ଼ି ବିଧାୟକ ଅରୁଣ ସାହୁ ।